କର୍ଣ୍ଣାଟକରେ ୧୧୪ ଫୁଟ ଉଚ୍ଚ ଯୀଶୁ ମୂର୍ତ୍ତି ନିର୍ମାଣ କରିବେ କଂଗ୍ରେସ ନେତା ଶିବକୁମାର, ବିଜେପିର ସମାଲୋଚନା

ବାଙ୍ଗାଲୁରୁ : କର୍ଣ୍ଣାଟକରେ ବିଶ୍ୱର ସର୍ବୋଚ୍ଚ ଯୀଶୁ ମୂର୍ତ୍ତି ନିର୍ମାଣ ହେବ । ଦୁଇଦିନ ତଳେ କଂଗ୍ରେସ ନେତା ଡିକେ. ଶିବକୁମାର ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ମୂର୍ତ୍ତିର ଉଚ୍ଚତା ୧୧୪ ଫୁଟ ରହିବ । ତେବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସର ଏହା ଏକ ସଂଖ୍ୟାଲଘୁ ତୁଷ୍ଟୀକରଣ କାର୍ଯ୍ୟକ୍ରମ ବୋଲି ବିଜେପି କହିଛି ।

ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ କହିଛନ୍ତି ଯେ ଜଣେ ଇଟାଲୀୟ ମହିଳାଙ୍କୁ ସନ୍ତୁଷ୍ଟ କରିବାକୁ ଶିବକୁମାର ଏହି ମୂର୍ତ୍ତି କରିବାକୁ ଯାଉଛନ୍ତି । ଆଗାମୀ ଦିନରେ କଂଗ୍ରେସର ଆହୁରି କିଛି ଚାଟୁକାର ନେତା ଏହିପରି ତୁଷ୍ଟୀକରଣ ରାଜନୀତି କରିବାକୁ ଆଗେଇ ଆସିବେ ବୋଲି ସେ କହିଛନ୍ତି ।

ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ କର୍ଣ୍ଣାଟକର ଖ୍ରୀଷ୍ଟିଆନ ବହୁଳ କନକପୁରା ଅଞ୍ଚଳର ହାରୋବେଲେ ଗାଁରେ ଏହି ମୂର୍ତ୍ତି ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ । ୧୦ ଏକର ଜମିରେ ଏହି ମୂର୍ତ୍ତି ଓ ଅନ୍ୟାନ୍ୟ ସହାୟକ କୋଠା ନିର୍ମାଣ କରାଯିବ ।
ଶିବକୁମାରଙ୍କ ଏହି କାର୍ଯ୍ୟକୁ କର୍ଣ୍ଣାଟକର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ ଇଶ୍ୱରାପ୍ପା ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭାରତରେ ଜନ୍ମ ହୋଇଥିବା ଭଗବାନ ରାମଙ୍କ ମନ୍ଦିର ନିର୍ମାଣକୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ ଏବେ ଯୀଶୁଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଯାଉଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର