ଦେଶରେ ଚାଲିଥିବା ଏକଛତ୍ରବାଦ ତୁଳନାରେ ବଂଶବାଦ ରାଜନୀତି ଭଲ : ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାରୁ ଯିବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପିକୁ ପ୍ରାୟ ପ୍ରତିଦିନ ଟାର୍ଗେଟ୍ କରିବାରେ ଲାଗିଛନ୍ତି ।

ଶିବସେନା ମୁଖପାତ୍ର ‘ସାମନା’ରେ ସେ ଲେଖିଛନ୍ତି ଯେ, ବର୍ତ୍ତମାନ ଦେଶରେ ଚାଲିଥିବା ଏକଛତ୍ରବାଦ ତୁଳନାରେ ବଂଶବାଦ ରାଜନୀତି ଭଲ । ଏପରି ଲେଖିବା ସହ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଜୋଡୋ ଯାତ୍ରାକୁ ପ୍ରସଂଶା କରିଛନ୍ତି ।

ବିଜେପିକୁ ସମାଲୋଚନା କରି ସେ ଲେଖିଛନ୍ତି ଯେ ବିଜେପି ରାହୁଲ ଗାନ୍ଧିଙ୍କ ଟି-ସର୍ଟକୁ ଟାର୍ଗେଟ କରିବା ପଦଳରେ ସେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଉ । ରାହୁଲ ପଚାରିଥିବା ପ୍ରଶ୍ନର ଗୁରୁତ୍ବ ରହିଛି । ଏହି କାରଣରୁ ବିଜେପିର ମୁହଁ ବନ୍ଦ ହୋଇଯାଇଛି ।

ରାହୁଲ ଗାନ୍ଧିଙ୍କ ଯାତ୍ରାକୁ ଭଲ ଜନସମର୍ଥନ ମିଳୁଛି । ଏଥିପାଇଁ ବିଜେପିର ପେଟବ୍ୟଥା ହେଉଛି । ସେ ଲୋକଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ଯେପରିକି, କୃଷକ, ଶ୍ରମିକଙ୍କ ସମସ୍ୟା, ବେରୋଜଗାରୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟା ଉପରେ ରାହୁଲ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏପରି ପ୍ରଶ୍ନର ଉତ୍ତର ନ ଦେଇ ବିଜେପି ତାଙ୍କ ପୋଷାକକୁ ଆକ୍ରମଣ କରୁଛି । ରାହୁଲ ଗାନ୍ଧିଙ୍କ ଯାତ୍ରା ଦେଶରେ ସୃଷ୍ଟି ହୋଇଥିବା ଘୃଣାର ବାତାବରଣକୁ ପ୍ରଶମିତ କରିବାରେ ସହାୟକ ହେବ ।

ଏକଛତ୍ରବାଦ ଦେଶକୁ ଏପରି ବରବାଦ କରିଦେଇଛି ଯେ ଲାଗୁଛି ବଂଶବାଦ ରାଜନୀତି ହିଁ ଭଲ  ବୋଲି ସାମନା ସଂପାଦକୀୟରେ ସେ ଲେଖିଛନ୍ତି ।

 

ସମ୍ବନ୍ଧିତ ଖବର