ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି କ୍ରମରେ ଶିବସେନା ଉଦ୍ଧବଙ୍କ ଦଳର ସାଂସଦ ଅରବିନ୍ଦ ସାୱନ୍ତ ଏକନାଥ ସିନ୍ଦେ ଦଳର ପ୍ରାର୍ଥୀ ସାଇନା ଏନସିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ।
ଅରବିନ୍ଦ ସାୱନ୍ତ ଏକନାଥ ସିନ୍ଦେଙ୍କ ଦଳ ପାଇଁ ସାଇନା ନିର୍ବାଚନ ଲଢ଼ିବାକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ, ‘ଆମର ଏଠାରେ ନିର୍ବାଚନରେ ଇମ୍ପୋଟେଡ ମାଲ ଚଳେ ନାହିଁ।’
ଅରବିନ୍ଦଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି। ସାଇନା ଅରବିନ୍ଦଙ୍କ ଏହି ବୟାନର ଉତ୍ତର ଦେବା ପାଇଁ ମହିଳା କାର୍ଡ ଚଲାଇ କହିଛନ୍ତି, ‘ମୁଁ ମହିଳା, ମାଲ ନୁହେଁ। ଅରବିନ୍ଦ ଜଣେ ମହିଳାଙ୍କ ସମ୍ମାନ କରି ପାରୁ ନାହାନ୍ତି। ଜଣେ ସକ୍ଷମ ମହିଳା ହିଁ ରାଜନୀତିକୁ ଆସିଥାଆନ୍ତି। ଆଉ ଆପଣ ମହିଳାଙ୍କ ପାଇଁ ଏଭଳି ନିଚ ଶବ୍ଦର ବ୍ୟବହାର କରିଥାଆନ୍ତି। ୨୦୧୪ ଓ ୨୦୧୯ରେ ଆପଣଙ୍କ ପାଇଁ ମୋଦୀଙ୍କ ନେତୃତ୍ବରେ ଆମେ ସମସ୍ତେ କାମ କରିଥିଲୁ। ସେଥିପାଇଁ ଆପଣଙ୍କର ଯେଉଁ ଅବସ୍ଥା ଥିଲା ସେହି ଅବସ୍ଥା ରହିଛି। ଏବେ ଯେଉଁ ବେହାଲ ଅବସ୍ଥା ହୋଇଛି ତାହାର କାରଣ ହେଉଛି ଆପଣ ମହିଳାଙ୍କୁ ମାଲ ବୋଲି କହି ଡାକୁଛନ୍ତି।’
ଏକନାଥ ସିନ୍ଦେଙ୍କ ଶିବସେନା ସାଇନା ଏନସିଙ୍କୁ ମୁମ୍ବାଦେବୀ ଆସନର ପ୍ରାର୍ଥୀ ଭାବେ ଘୋଷଣା କରିଛି। ସାଇନା କଂଗ୍ରେସ ପ୍ରାର୍ଥୀ ଉମିନ ପଟେଲଙ୍କ ସହିତ ପ୍ରତିଦ୍ବିନ୍ଦ୍ବୀ ଭାବେ ନିର୍ବାଚନ ଲଢ଼ିବେ।
ସାଇନା ପେସାରେ ଜଣେ ଫ୍ୟାସନ ଡିଜାଇନ ହେବା ସହିତ ମୁମ୍ବାଇର ଗ୍ଲାମର ଦୁନିଆରେ ଜଣେ ଚର୍ଚ୍ଚିତ ଚେହେରା। ଶିବସେନାରୁ ଟିକେଟ ପାଇବା ପରେ ସାଇନା ବିଜେପି ଛାଡ଼ି ଦେଇଥିଲେ।