ବାଚସ୍ପତି, ଉପବାଚସ୍ପତି ଆଶା ମଉଳିଯିବ?

ବାଚସ୍ପତି ପଦ ପାଇଁ ଆଗ୍ରହୀ ନାହାନ୍ତି ଜୁଏଲ, ଭର୍ତୃହରିଙ୍କ ରାସ୍ତାରେ ଶିବସେନା କଣ୍ଟା

ନୂଆଦିଲ୍ଲୀ : ଚଳିତ ମାସ ୧୭ରୁ ଲୋକସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ୧୯ ତାରିଖରେ ଲୋକସଭାର ବାଚସ୍ପତି ଏବଂ ତା’ପରେ ଉପବାଚସ୍ପତି ନିର୍ବାଚିତ ହେବେ। ଏହି ଦୁଇଟି ମର୍ଯ୍ୟାଦାଜନକ ପଦ ପାଇଁ ସମ୍ଭାବ୍ୟ ନାମ ଗୁଡ଼ିକ ଉପରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ବଜେଟ୍ ଅଧିବେଶନ ପୂର୍ବରୁ ଲୋକସଭାର ବାଚସ୍ପତି ଓ ଉପବାଚସ୍ପତି ଆସନରେ କିଏ ବସିବେ ସେନେଇ ଖୁବ୍‌ ଶୀଘ୍ର ସ୍ପଷ୍ଟ ସୂଚନା ମିଳିବ‌ ବୋଲି ଅନୁମାନ କରାଯାଉଛି।

ମୋଦୀ ମନ୍ତ୍ରିମଣ୍ଡଳର ଦ୍ବିତୀୟ ପାଳିରେ ବାଦ୍‌ ପଡ଼ିଥିବା ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌ଙ୍କୁ ଲୋକସଭାର ବାଚସ୍ପତି କରାଯାଇପାରେ ବୋଲି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ହେଲେ େଖାଦ ଜୁଏଲ ଓରାମ୍ ଏହି ପଦବି ପାଇଁ ଆଗ୍ରହୀ ନଥିବା ତାଙ୍କର ନିକଟତମ ମହଲରୁ ଜଣାପଡ଼ିଛି। ଏହି ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଯଦି ବିଜେପିର ଶୀର୍ଷ ନେତୃତ୍ବ ଦ୍ବାରା ଲୋକସଭା ବାଚସ୍ପତି ପଦ ପାଇଁ ଜୁଏଲଙ୍କ ପାଖକୁ କୌଣସି ପ୍ରକାର ପ୍ରସ୍ତାବ ଆସେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ବରଂ ଦଳର ଜଣେ ପୁରୁଖା ନେତା ରୂପେ ସେ ତୃଣମୂଳ ସ୍ତରରୁ ଦଳର ସାଂଗଠନିକ ଶକ୍ତି ସୁଦୃଢ଼ କରିବା କାର୍ଯ୍ୟରେ ସାମିଲ ହେବାକୁ ଚାହାନ୍ତି। ରାଜନୈତିକ ମହଲର ଖବର ଅନୁସାରେ, ଜୁଏଲ ଓରାମ୍ ରାଜ୍ୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆଗ୍ରହୀ। ଜୁଏଲ ପୂର୍ବରୁ ବିଜେପିର ଜାତୀୟ ଉପସଭାପତି, ବିଜେପିର ଏସ୍‌ଟି ମୋର୍ଚ୍ଚାର ସଭାପତି, ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ, କିଛି ରାଜ୍ୟର ପ୍ରଭାରୀ ତଥା ରାଜ୍ୟ ବିଜେପିର ସଭାପତି ଦାୟିତ୍ବ ତୁଲାଇସାରିଛନ୍ତି।

ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ୮ଟି ଆସନ ମିଳିଥିବା ବେଳେ ଜୁଏଲ ଓରାମ୍ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ। ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରାଯାଇନଥିବାରୁ ସେ ଏକ ପ୍ରକାର ଖପ୍ପା ଥିବା ବେଳେ ବାଚସ୍ପତି ଭଳି ପଦର ପ୍ରସ୍ତାବକୁ ସ୍ବୀକାର କରିବା ଲମ୍ବା ରାଜନୈତିକ କ୍ୟାରିୟର ଦୃଷ୍ଟିରୁ ଉଚିତ୍ ହେବ ନାହିଁ ତାଙ୍କ ସମର୍ଥକମାନେ େଖାଲାେଖାଲି କହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ମନ୍ତ୍ରିମଣ୍ଡଳ ଗଠନ ପ୍ରକ୍ରିୟା ପରେ ପ୍ରଥମ ଥର ପାଇଁ ଆଜି ଜୁଏଲ ଓରାମ୍ ଭୁବନେଶ୍ବର ଗସ୍ତ କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ସେ ତାଙ୍କର ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ ଏବଂ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନଙ୍କ ସହ ତାଙ୍କର ଭବିଷ୍ୟତ କାର୍ଯ୍ୟକୁ ନେଇ ବିଚାର ଆଲୋଚନା କରିପାରନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶା ସମେତ କେତେକ ରାଜ୍ୟରେ ବିଜେପି ସଭାପତି ପରିବର୍ତ୍ତନ କରିବାର ସମ୍ଭାବନା ଥିବା ବେଳେ ଜୁଏଲ ଓରାମ୍‌ଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

ଲୋକସଭାରେ ବାଚସ୍ପତି ପଦର ଦାବିଦାର ଅଙ୍କକଷା ଛିଡୁନଥିବା ବେଳେ ଉପବାଚସ୍ପତି ପଦ ପାଇଁ ମଧ୍ୟ ଦ୍ବନ୍ଦ୍ବ ଆରମ୍ଭ େହାଇଗଲାଣି। ଲୋକସଭାର ଉପବାଚସ୍ପତି ପଦ ବିଜେଡିକୁ ଦିଆଯିବା ନେଇ ଲାଗି ରହିଥିବା ଚର୍ଚ୍ଚାକୁ ହଜମ କରିପାରିନାହିଁ ବିଜେପିର ମେଣ୍ଟ ସହଯୋଗୀ ଦଳ ଶିବସେନା। ବିଜେଡି ସାଂସଦ ଭର୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବା ସଂକ୍ରାନ୍ତରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ୍ ପ୍ରଶ୍ନ ଉଠାଇଛନ୍ତି। ସଞ୍ଜୟ ରାଉତ୍ କହିଛନ୍ତି, ଲୋକସଭାରେ ଉପବାଚସ୍ପତି ପଦ ପାଇଁ ଶିବସେନା ହେଉଛି ପ୍ରକୃତ ହକ୍‌ଦାର। ଏଥିରୁ ଜଣାପଡ଼ୁଛି ଯେ ଶିବସେନା ପରୋକ୍ଷରେ ବିଜେଡିକୁ ବିରୋଧ କରିଛି। ସଞ୍ଜୟ ରାଉତ୍ କହିଛନ୍ତି ଶିବିସେନା ଏନଡିଏର ତୃତୀୟ ବୃହତ୍ତମ ଦଳ। ଶିବସେନା କିମ୍ବା ଅନ୍ୟ ସହଯୋଗୀ ଦଳକୁ ଉପବାଚସ୍ପତି ପଦ ମିଳିବା ଦରକାର। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ଶିବସେନାକୁ ମଧ୍ୟ ଗୋଟିଏ ମନ୍ତ୍ରୀ ପଦ ମିଳିଛି। ଏହାସହିତ ସେ ମନେ ପକାଇ ଦେଇଛନ୍ତି ଯେ ବିଜେଡି ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିଥିଲା।

ସାଧାରଣତଃ ଲୋକସଭାରେ ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦିଆଯିବାର ପରମ୍ପରା ରହିଆସିଛି। ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହାସଲ କରିପାରି ନଥିଲା ଏବଂ ଏଥର ମଧ୍ୟ ବିରୋଧୀ ଦଳ ନେତା ପଦ ପାଇଁ ଦଳ ଦାବି କରିନାହିଁ। ଅପରପକ୍ଷେ ମୋଦୀ ସରକାର ପ୍ରମୁଖ ବିରୋଧୀ ଦଳକୁ ଉପବାଚସ୍ପତି ପଦ ଦେବାର ପରମ୍ପରା ବନ୍ଦ କରିଦେଇଥିଲେ। ଏଆଇଡିଏମକେର ଥମ୍ବି ଦୁରାଇଙ୍କୁ ୧୬ତମ ଲୋକସଭାରେ ଉପବାଚସ୍ପତି ରୂପେ ପସନ୍ଦ ଯାଇଥିଲା। ସେହି ସମୟରେ ଏଆଇଡିଏମକେ ପ୍ରତି ଏନଡିଏ ର ଆଭିମୁଖ୍ୟ ନରମ ଥିଲା। ସଂଖ୍ୟା ଗଣିତ ହିସାବରେ ଏଥର ସଂସଦରେ ଶିବସେନାର ୧୮ ଜଣ ସାଂସଦ ଥିବା ବେଳେ ବିଜେଡିର ୧୨ ଜଣ ସାଂସଦ ଅଛନ୍ତି। ବିଜେପି ଅନ୍ୟ ଏକ ସହଯୋଗୀ ଜେଡି(ୟୁ) କୌଣସି ପଦ ଗ୍ରହଣ କରିବା ପାଇଁ ମନା କରିଦେଇଛି।

ସମ୍ବନ୍ଧିତ ଖବର