ପେଟ୍ରୋଲ ଓ ଡିଜେଲର ଦର ୫୦ ଟଙ୍କାରୁ କମ କରିବାକୁ ହେଲେ ବିଜେପିକୁ ହରାଇବାକୁ ହେବ: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମୋଦୀ ସରକାରଙ୍କୁ କଟାକ୍ଷ କରିଛନ୍ତି । ସଞ୍ଜୟ କହିଛନ୍ତି, ଯଦି ପେଟ୍ରୋଲ ଓ ଡିଜେଲ ଦର ୫୦ ଟଙ୍କାରୁ କମ ଚାହୁଁଥାନ୍ତି ତେବେ ବିଜେପିକୁ ହରାଇବା ନିହାତି ଆବଶ୍ୟକ । ଆଜି ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ ।

ଏହାସହ ସଞ୍ଜୟ କହିଛନ୍ତି ଯେ, ଇନ୍ଧନ ଦର ୧୦୦ ଟଙ୍କାରୁ ଅଧିକ କରିବାକୁ ହେଲେ ଯେକୌଣସି ବ୍ୟକ୍ତିଙ୍କୁ ଅତ୍ୟନ୍ତ କଠୋର ହେବାକୁ ପଡିଥାଏ । ଆଉ ବିଜେପି ସରକାର ଏବେ କଠୋର ହୋଇଛନ୍ତି । ଉପ-ନିର୍ବାଚନରେ ବିଜେପିର ପରାଜୟ ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇଛନ୍ତି । ତେଣୁ ଯଦି ପେଟ୍ରୋଲ ଓ ଡିଜେଲର ଦର ୫୦ ଟଙ୍କା ତଳକୁ ଚାହୁଁଥାନ୍ତିି ତେବେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ହରାଇବାକୁ ପଡିବ । କାରଣ ତେଲ ଦରକୁ ନେଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହଙ୍ଗା ମାଡରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି । ଏବେ ଦୀପାବଳି ପାଳିବାକୁ ଲୋକଙ୍କୁ କରଜ କରିବାକୁ ପଡୁଛି ଏବଂ ଦରଦାମ ବୃଦ୍ଧି କାରଣରୁ ଉତ୍ସବ ପାଳିବାକୁ ଲୋକଙ୍କ ମନରେ ଆଉ ପୂର୍ବଭଳି ଆଗ୍ରହ ନାହିଁ ।

ଏହାପୂର୍ବରୁ ସଞ୍ଜୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ଶସ୍ତା କରିବାକୁ କହି ବିଜେପି କ୍ଷମତାକୁ ଆସିଥିଲା କିନ୍ତୁ ଏବେ ବିମାନ ଇନ୍ଧନ ଠାରୁ ଅଧିକ ମହଙ୍ଗା ହେଲାଣି ଗାଡି ତେଲର ଦାମ, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।

ସମ୍ବନ୍ଧିତ ଖବର