ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଉଛନ୍ତି ଗତ ୫୦୦୦ ବର୍ଷ ହେବ ଦେଖା ଯାଇ ନ ଥିବା ଜଣେ ସୈତାନ୍ ବୋଲି ‘ଶିବସେନା’ର ମୁଖପତ୍ର ‘ସାମ୍ନା’ ଉଲ୍ଲେଖ କରିଛି।
ମରାଠୀ ସମ୍ରାଟ ଶିବାଜୀଙ୍କୁ ହତ୍ୟା କରିବା ପାଇଁ ପଠାଯାଇଥିବା ମୋଗଲ୍ ସେନାପତି ଅଫ୍ଜଲ୍ ଖାଁଙ୍କ ସଙ୍ଗେ ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ‘ସାମ୍ନା’ ସମ୍ପାଦକୀୟରେ ସନ୍ଦେଙ୍କୁ ତୁଳନା କରିଛନ୍ତି।
ସମ୍ପାଦକୀୟରେ ଉଲ୍ଲେଖ ଅଛି, ବାଲାସାହେବ ଠାକ୍ରେ ଆରମ୍ଭ କରିଥିବା ଐତିହ୍ୟକୁ ଏକନାଥ ସିନ୍ଦେ କଳଙ୍କିତ କରିଛନ୍ତି। ସିନ୍ଦେ ଓ ତାଙ୍କ ବିଧାୟକମାନେ ‘ଶିବସେନା’କୁ କ୍ଷତାକ୍ତ କରି ମହାରାଷ୍ଟ୍ରକୁ ପଙ୍ଗୁ କରିବା ସହ ମରାଠୀ ଜନତାଙ୍କୁ ଦୁର୍ବଳ କରି ଦେଇଛନ୍ତି।
ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏମିତି ଦଳର ସଂଗ୍ରାମର ଅବସାନ ଘଟିବ ନାହିଁ। ଦଳର ଉତ୍ଥାନ ହେବ ଓ ଶତ୍ରୁର ବକ୍ଷକୁ ପାଦରେ ଦଳନ କରିବ।
ସୂଚନାଯୋଗ୍ୟ, ଶିବସେନାର ସଙ୍କେତ ଧନୁଶର ନିମନ୍ତେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିବାରୁ ଭାରତର ନିର୍ବାଚନ କମିସନ୍ ସଙ୍କେତ ବ୍ୟବହାର ଉପରେ ରହିତାଦେଶ ଜାରି କରିଛନ୍ତି। କିଛି ଦିନ ପାଇଁ ଅସ୍ଥାୟୀ ସଙ୍କେତ ପାଇବାକୁ ଅକ୍ଟୋବାର ୧୦ ତାରିଖ ଅପରହ୍ଣ ୧ଟା ସୁଦ୍ଧା ଉପଲବ୍ଧ ସଙ୍କେତଗୁଡ଼ିକରୁ ସଙ୍କେତ ଚୟନ କରି ୩ଟି ଲେଖାଏଁ ବିକଳ୍ପ ସହିତ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।