ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଶିବସେନା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ହୋଇଛି। ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏକନାଥ ସିନ୍ଦେ ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ତାଙ୍କ ବାପା ବାଲାସାହେବ ଠାକରେଙ୍କ ନାମ ସେମାନେ ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀର ନାଁ ‘ଶିବସେନା ବାଲାସାହେବ’ ରହିବ ବୋଲି ଆଜି ସକାଳେ ବିଦ୍ରୋହୀ ବିଧାୟକ ଘୋଷଣା କରିବାପରେ ଠାକ୍ରେ ଏହି ଚେତାବନୀ ଦେଇଛନ୍ତି। ଶିବସେନା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏସଂକ୍ରାନ୍ତ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଗୁଡ଼ିକ ହେଲା-
ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
ଉଦ୍ଧବ ଠାକ୍ରେଙ୍କ ନେତୃତ୍ବରେ ସବୁ ନିର୍ବାଚନ ଲଢ଼ାଯିବ
କୌଣସି ନୂଆ ଗୋଷ୍ଠୀ ଦ୍ବାରା ଶିବସେନା କିମ୍ବା ବାଲାସାହେବ ନାମକୁ ବ୍ୟବହାର କରିବା ଅଧିକାର ନାହିଁ
ଶିବସେନାର ବିଚାରଧାରାରେ କୌଣସି ସାଲିସ କରାଯାଇପାରିବନି
ବାଲାସାହେବ ଠାକରେଙ୍କ ‘ହିନ୍ଦୁତ୍ବ’ ବିଚାରଧାରାରେ ସାଲିସ ହେବନାହିଁ
ଯିଏ ବାଲାସାହେବଙ୍କ ନାମ ବ୍ୟବହାର କରିବ ଶିବସେନା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଇସିଙ୍କ ଦ୍ବାରସ୍ଥ ହେବ।