ଏନଡିଏରୁ ବାହାରିବା ସହ ବଦଳିଗଲା ସଂସଦରେ ଶିବସେନା ସାଂସଦଙ୍କ ଆସନ, ଏଣିକି ବିରୋଧୀ ଦଳଙ୍କ ଆସନରେ ବସିବେ

ମୁମ୍ବାଇ : ଶିବସେନା ବିଧିବଦ୍ଧଭାବେ କେନ୍ଦ୍ରରେ ଶାସନାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରୁ ବାହାରି ଆସିଛି । ଏହା ଫଳରେ ସଂସଦରେ ଦଳୀୟ ସାଂସଦଙ୍କ ଆସନ ମଧ୍ୟ ବଦଳିଯାଇଛି । ଏଣିକି ସେମାନେ ବିରୋଧୀ ଦଳଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିବେ । ସଂସଦର ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ମଧ୍ୟ ଶିବସେନା ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ଆଜି ଅପରାହ୍ଣ ସାଢେ ୪ଟା ବେଳେ ଶିବସେନା,କଂଗ୍ରେସ ଓ ଏନସିପି ମେଣ୍ଟର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାରଗଠନ ପାଇଁ ଦାବି କରିବାର ଥିଲା । ଶେଷ ମୂହୂର୍ତ୍ତରେ ଏହାକୁ ବାତିଲ କରିଦିଆଯାଇଛି । ଦଳୀୟ ନେତାମାନେ ନିର୍ବାଚନ ଖର୍ଚ୍ଚ ଅଡିଟ ରିପୋର୍ଟ ଦାଖଲ କରିବାରେ ବ୍ୟସ୍ତ ଥିବାରୁ ଆଜିର ବୈଠକକୁ ବାତିଲ କରାଯାଇଥିବା ଏହି ମେଣ୍ଟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରିବାକୁ ଏହି ତିନିଦଳ ସମୟ ମାଗିଥିଲେ । କିନ୍ତୁ ସରକାରଗଠନ ସଂପର୍କରେ ମଧ୍ୟ ଆଲୋଚନା ହୋଇଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି । ମାତ୍ର ସରକାର ଗଠନ ନେଇ ଆଉ କେତେକ ପ୍ରସଙ୍ଗରେ ସହମତି ହୋଇ ନଥିବାରୁ ରାଜ୍ୟପାଳଙ୍କୁ ଆଉ କିଛି ଦିନ ପରେ ଭେଟିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର