ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଥାକ୍ରେ ଆଜି ରେନସା ହୋଟେଲ୍ରେ ଏନ୍ସିପି ବିଧାୟକଙ୍କୁ ସାକ୍ଷାତ କରିଛନ୍ତି। ପାୱାର ଏବଂ ଉଦ୍ଧବ ବିଧାୟକଙ୍କୁ ନେଇ ଏକ ରୁଦ୍ଧଦ୍ବାର ଆଲୋଚନା କରିଥିଲେ। ତାଙ୍କ ମେଣ୍ଟ ହିଁ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଯାଉଛି ବୋଲି ଉଦ୍ଧବ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷେ, ଶରଦ୍ ପାୱାର ହୋଟେଲ୍ରେ ପହଞ୍ଚିଲା ବେଳକୁ ଦେବେନ୍ଦ୍ର ଫଡ୍ନାଭିସ ଏବଂ ଅଜିତ୍ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିବା ଏନ୍ସିପି ବିଧାୟକ ମାନିକ୍ ରାଓ କୋକୋଟେ ମଧ୍ୟ ଆସି ହୋଟେଲ୍ରେ ପହଞ୍ଚିଥିଲେ। ମାନିକ୍ ରାଓ ଅଜିତ୍ ପାୱାରଙ୍କ ଶିବିର ପରିତ୍ୟାଗ କରି ପୁନର୍ବାର ଶରଦ ପାୱାରଙ୍କ ଶିବିରରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାର ଶପଥ ଗ୍ରହଣ କରିବା ପରେ ଶିବସେନା, ଏନ୍ସିପି ଓ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେହିଭଳି ଉଦ୍ଧବ ଥାକ୍ରେ ଏବଂ ଆଦିତ୍ୟ ଥାକ୍ରେ ଲଳିତ ହୋଟେଲ୍ରେ ରହୁଥିବା ଶିବସେନା ବିଧାୟକଙ୍କୁ ସାକ୍ଷାତ କରି ପରିସ୍ଥିତି ନେଇ ଆଲୋଚନା କରିଥିଲେ। ମହାରାଷ୍ଟ୍ରରେ ତାଙ୍କ ଦଳ ହିଁ ସରକାର ଗଢ଼ିବ। ଏଣୁ ବ୍ୟସ୍ତ ନ ହେବାକୁ ଉଦ୍ଧବ ନିଜର ସମସ୍ତ ବିଧାୟକଙ୍କୁ ବୁଝାଇଥିଲେ। ଅପରପକ୍ଷେ, ଏନ୍ସିପି ଓ ଶିବସେନା ବିଧାୟକମାନେ ରହୁଥିବା ହୋଟେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଏନ୍ସିପି ବିଧାୟକଙ୍କୁ ଭେଟିଲେ ଶିବସେନା ସୁପ୍ରିମୋ ଉଦ୍ଧବ
/sambad/media/post_attachments/wp-content/uploads/2019/11/fsfs54fs984f54564666666666666666666.jpg)