ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ କଂଗ୍ରେସ-ଏନ୍ସିପି-ଶିବସେନା ମଧ୍ୟରେ ସରକାର ଗଠନ ପାଇଁ ତୁହାକୁ ତୁହା ବୈଠକ ହେବାରେ ଲାଗିଛି। ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ ରାଜ୍ୟ କଂଗ୍ରେସ ନେତାମାନଙ୍କର ଏକ ବୈଠକ ମୁମ୍ବାଇରେ ଟ୍ରାଇଡେଣ୍ଟ ହୋଟେଲରେ ହୋଇଥିଲା। ସରକାର ଗଠନ ପାଇଁ ଆଲୋଚନା ଆଗକୁ ବଢ଼ାଇବା ପାଇଁ ଉଭୟ ଦଳ ସହମତି ପ୍ରକାଶ କରିଥିଲେ ଏବଂ ଏକ ସ୍ଥାୟୀ ସରକାର ଗଠନ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ଏଡ଼ାଇ ଆଗକୁ ବଢ଼ିବାକୁ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍ପି) ଚୂଡ଼ାନ୍ତ କରିବା ପାଇଁ କଂଗ୍ରେସ ଏବଂ ଶିବସେନା ନେତାମାନେ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ତେବେ ଏନ୍ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ସରକାର ଗଠନ ଦିଗରେ ତାଙ୍କ ଦଳ ସକରାତ୍ମକ ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛି, କିନ୍ତୁ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଥିବାରୁ ଆମେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବୁ ନାହିଁ।
ଉଦ୍ଧବଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ନେତାମାନେ ଶିବସେନା ସେନା ସଂଜୟ ରାଉତଙ୍କୁ ମଧ୍ୟ ଭେଟି ସରକାର ଗଠନ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ଶିବସେନା ସହିତ ମିଶି ସରକାର ଗଠନ କରିବାରେ ଆମର କୌଣସି ସମସ୍ୟା ନାହିଁ ବୋଲି କଂଗ୍ରେସ ନେତାମାନେ ରାଉତଙ୍କୁ ଜଣାଇ ଦେଇଥିବା ଜଣାପଡ଼ିଛି । ଇତିମଧ୍ୟରେ ଜୟପୁରରେ ଡେରା ପକାଇଥିବା ମହାରାଷ୍ଟ୍ର କଂଗ୍ରେସ ବିଧାୟକମାନେ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ପରିସ୍ଥିତି ଏବଂ ରାଜନୈତିକ ମାମଲା ସଂପର୍କରେ ଆସନ୍ତା ୧୬ ତାରିଖ ଦିନ ଚୂଡ଼ାନ୍ତ ନିଷ୍ପତ୍ତି ନେବାପାଇଁ କଂଗ୍ରେସ ଦିଲ୍ଲୀରେ ଏଆଇସିସି ସାଧାରଣ ସଂପାଦକ, ସଂପାଦକ, ପିସିସି ସଭାପତି ଏବଂ ବିଧାୟକ ଦଳ ନେତାମାନଙ୍କ ବୈଠକ ଡକାଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ଶାସନ ଲାଗୁପରେ ବିଜେପି ତିନି ଦିନିଆ ବୈଠକ ଡକାଇଛି। ଏଥିରେ ମହାରାଷ୍ଟ୍ରର ସମସ୍ତ ବିଜେପି ବିଧାୟକ ସାମିଲ ହେବେ। ଶିବସେନା ଯଦି ତା’ର ଜିଦ୍ ଛାଡ଼ିବ ତା’ହେଲେ ଏବେ ବି ବିଜେପିର ଦ୍ବାର ସେନା ପାଇଁ ଖୋଲା ରହିଛି ବୋଲି ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/cartoon-maharastra-president-copy.jpg-f.jpg)