ନରମିଲା ଶିବସେନା, ଆଲୋଚନା ଲାଗି ଗଡକରୀଙ୍କୁ ପଠାଇବାକୁ ଆରଏସଏସକୁ ପ୍ରସ୍ତାବ ଦେଲା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ହୋଇଯାଇଥିଲେ ମଧ୍ୟ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଜିଦ ଧରିଥିବାବେଳେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ସାଲିସ କରୁନାହିଁ । ତେବେ ସ୍ଥିତିର ସମାଧାନ ବାହାରୁ ନଥିବାରୁ ଶିବସେନା କହିଛି ଯେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ । ସେ ଚାହିଁଲେ ୨ ଘଣ୍ଟାରେ ସମାଧାନ ବାହାରି ଯିବ ।

ଶିବସେନା ନେତା କିଶୋର ତିଓ୍ଵାରୀ କହିଛନ୍ତି ଯେ ସେ ଆରଏସଏସମୁଖ୍ୟ ମୋହନ ଭାଗବତଙ୍କୁ ଏକ ପତ୍ର ଲେଖି ଗଡକରୀଙ୍କୁ ଆଲୋଚନା ଲାଗି ପଠାଇବାକୁ ଅନୁରୋଧ କରିଛନ୍ତି ।

ଏହାପୂର୍ବରୁ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଥିଲେ ଯେ ସରକାର ଗଠନ ନେଇ ଏନସିପି ସହିତ କଥାବାର୍ତ୍ତା ଚାଲିଛି । କିନ୍ତୁ ଏନସିପି ମୁଖ୍ୟ ଶରଦ ପଓ୍ଵାର ମୁଖ୍ୟମନ୍ତ୍ରୀ ହେବେ ନାହିଁ, ନୂଆ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ରାଜ୍ୟ ଭିତରେ ହିଁ ନିଷ୍ପତ୍ତି ନିଆଯିବ ।

ସମ୍ବନ୍ଧିତ ଖବର