ମହାରାଷ୍ଟ୍ରରେ ସରକାର ଗଠନ, ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କ

ନୂଆଦିଲ୍ଲୀ/ମୁମ୍ବାଇ,: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା କଂଗ୍ରେସ ଏବଂ ଏନ୍‌ସିପି ସମର୍ଥନ ପାଇଁ ପ୍ରୟାସ ଜାରି ରଖିଥିବାବେଳେ ଶିବସେନା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ମୋଦୀ ସରକାରରେ ସେ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ। ସାୱନ୍ତ ଦାବି କରିଛନ୍ତି ଯେ ବିଜେପି ନିର୍ବା‌ଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପାଳନ କରିନାହିଁ। ମହାରାଷ୍ଟ୍ର‌ରେ ୫୦-୫୦ ଫର୍ମୁଲା ଆଧାରରେ ପାଳି କରି ଉଭୟ ବିଜେପି ଏବଂ ଶିବସେନାରୁ ଅଢ଼େଇ ବର୍ଷ ଲେଖାଏଁ ଜଣେ ମୁଖ୍ୟମନ୍ତ୍ରୀ ହେ‌‌ବେ ବୋଲି କଥାବାର୍ତ୍ତା ହୋଇଥିଲା। ବିଜେପି ମଧ୍ୟ ଏଥିରେ ରାଜିଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଆସିବାପରେ ବିଜେପି ନିଜ କଥାରୁ ଓହରିଯାଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସାୱନ୍ତ କହିଛନ୍ତି, ବିଜେପି ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବାରୁ ଏଭଳି ସ୍ଥ‌ଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିବାକୁ ମୁଁ ନୈତିକତା ଦୃଷ୍ଟିରୁ ଠିକ୍‌ ମନେ କରୁନାହିଁ। ତେଣୁ ମୁଁ ଇସ୍ତଫା ଦେଉଛି। ସାୱନ୍ତ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଦେଇଥିବା କହିଛନ୍ତି।‌ ଶିବସେନାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ସାୱନ୍ତ ଟ୍ବିଟ୍‌ କରି କହିଛନ୍ତି, ଶିବସେନା ସତ୍ୟ ଉପରେ ଗୁରୁତ୍ବ ଦିଏ। ତେଣ ମୁଁ ମିଛର ବାତାବରଣ ମଧ୍ୟରେ କେମିତି ରହିଥାନ୍ତି? ସେଥିଲାଗି ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।

ସମ୍ବନ୍ଧିତ ଖବର