ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶିବଶକ୍ତି ସ୍ଥଳ’ ଭାବେ ନାମିତ କରିବାରୁ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟ ଯୁକ୍ତିତର୍କ ଆରମ୍ଭ ହୋଇଛି।
ଏ ସଂକ୍ରାନ୍ତରେ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ସାକ୍ଷାତକାରରେ ବରିଷ୍ଠ କଂଗ୍ରେସ ନେତା ରଶିଦ୍ ଅଲ୍ୱି ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ଚନ୍ଦ୍ରର କୌଣସି କ୍ଷେତ୍ର ନାମକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କର୍ତ୍ତୃତ୍ବ ଜାହିର କରିବା ଅବାନ୍ତର କଥା। ଏ କଥାକୁ ବିଶ୍ବବାସୀ ଉପହାସ କରିବେ। ଆମେ ଚନ୍ଦ୍ରରେ ଅବତରଣ କରିଛନ୍ତି, ବେଶ୍ ଭଲ କଥା। ଆମେ ଯେ, ଏଥିପାଇଁ ଗୌରବାନ୍ବିତ ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଆମେ ଚନ୍ଦ୍ରର କି ସେ ଅବତରଣ କ୍ଷେତ୍ରର ମାଲିକ ନୋହୁଁ।
ଏହି ସାକ୍ଷାତ୍କାର ସମୟରେ ଅଲ୍ୱିଙ୍କୁ ୨୦୦୮ରେ ‘ଚନ୍ଦ୍ରଯାନ-୧’ ‘କ୍ରାସ୍-ଲାଣ୍ଡିଙ୍ଗ୍’ କରିଥିବା ସ୍ଥାନକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ନାମାନୁସାରେ ‘ଜବାହର ସ୍ଥଳ’ ଭାବେ ନାମିତ କରାଯାଇଥିବା କଥା ପଚରାଯିବାରୁ ସେ ଏଭଳି ଟିପ୍ପଣୀ ଦେଇଛନ୍ତି।
‘ଚନ୍ଦ୍ରଯାନ’ ଅବତରଣ ସ୍ଥାନର ୨ଟି ନାଁ’କୁ ତୁଳନା କରି ଅଲ୍ୱି କହିଲେ, ଜବାହରଲାଲ୍ ନେହେରୁଙ୍କୁ ଅନ୍ୟ କାହା ସହିତ ତୁଳନା କରାଯାଇ ପାରିବ ନାହିଁ। ପଣ୍ଡିତ ନେହେରୁ ଏ ସବୁର ସଂସ୍ଥାପକ। କିନ୍ତୁ, ମୋଦୀଜୀ ଏହାକୁ ନେଇ ରାଜନୀତି କରୁଛନ୍ତି।
ଅଲୱିଙ୍କ ଉପରୋକ୍ତ ଟିପ୍ପିଣୀ ଶୁଣି ‘ବିଜେପି’ ଅବିଳମ୍ବେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା। ‘ବିଜେପି’ର ଜାତୀୟ ମୁଖପାତ୍ର ଶେହ୍ଜାଦ୍ ପୁନାୱାଲା କଂଗ୍ରେସକୁ ହିନ୍ଦୁବିରୋଧୀ କହିବା ସହିତ କହିଛନ୍ତି, ‘ଶିବଶକ୍ତି ସ୍ଥଳ’ ଓ ‘ତିରଙ୍ଗା ସ୍ଥଳ’- ଏ ଦୁଇଟିଯାକ ନାମ ଆମ ଦେଶ ସହିତ ଜଡ଼ିତ। ରଶିଦ୍ ଅଲ୍ୱି ଏହାକୁ ହାସ୍ୟାସ୍ପଦ ବୋଲି କହୁଛନ୍ତି କାହିଁକି? କଂଗ୍ରେସର ‘ପରିବାର ଆଗ’ ନୀତି ରହିଛି… ବିକ୍ରମ ସାରାଭାଈଙ୍କ ନାମାନୁସାରେ ‘ବିକ୍ରମ ଲାଣ୍ଡର୍’ ନାମିତ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏବେ କ୍ଷମତାରେ ଥିଲେ କଂଗ୍ରେସ ଏହାର ଭିନ୍ନ ନାମକରଣ କରିଥାଆନ୍ତା। ‘ଉପା’ ସରକାର ‘ଚନ୍ଦ୍ରଯାନ-୨’ ବା ‘ଚନ୍ଦ୍ରଯାନ-୩’ ପଠାଇ ନ ଥିଲା। ଯଦି ପଠାଇ ଥାଆନ୍ତା ତେବେ ଚନ୍ଦ୍ରପୃଷ୍ଠର ସେ ପ୍ରାନ୍ତକୁ ‘ଇନ୍ଦିରା ସ୍ଥଳ’ ବା ‘ରାଜୀବ ସ୍ଥଳ’ ଭାବେ ନାମକରଣ କରିଥାଆନ୍ତା।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୧୪ ତାରିଖ ଦିନ ‘ଇସ୍ରୋ’ର ‘ମୁନ୍ ଇମ୍ପାକ୍ଟ୍ ପ୍ରୋବ୍’ (ଚନ୍ଦ୍ରଯାନ-୧) ଚନ୍ଦ୍ରପୃଷ୍ଠର ‘ସାକେଲ୍ଟନ୍ କ୍ରେଟର୍’ ନିକଟରେ ‘କ୍ରାସ୍ ଲାଣ୍ଡିଙ୍ଗ୍’ କରିଥିଲା। ସେ ସ୍ଥାନକୁ ‘ଜବାହର ପଏଣ୍ଟ୍’ ବା ‘ଜବାହର ସ୍ଥଳ’ କୁହାଯାଏ। ସେ ଦିନ ଥିଲା ଜବାହରଲାଲ୍ ନେହେରୁଙ୍କ ଜନ୍ମଦିନ। ସେହି ଦିନ ଉକ୍ତ ‘ପ୍ରୋବ୍’ ଚନ୍ଦ୍ରର ଦକ୍ଷିଣ ମେରୁରେ ‘କ୍ରାସ୍ଲାଣ୍ଡିଙ୍ଗ୍’ କରାଇବା ପାଇଁ ଯୋଜନା କରାଯାଇଥିଲା।