ଡେରାଡୁନ: ଗତମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମରେ ପ୍ରବଳ ବର୍ଷା ହେତୁ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ କେରଳର ୨୮ ଜଣ ପର୍ଯ୍ୟଟକଙ୍କ ଏକ ଦଳ  ନିଖୋଜ ହୋଇଯାଇଥିବା  ପର୍ଯ୍ୟଟକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି।

Advertisment

ପର୍ଯ୍ୟଟକ ଦଳରେ ସାମିଲ ଥିବା ଦମ୍ପତିଙ୍କ ଜଣେ ସମ୍ପର୍କୀୟ କହିଛନ୍ତି,‘ ୨୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୨୦ ଜଣ କେରଳର ଥିବା ବେଳେ ସେମାନେ ମହାରାଷ୍ଟ୍ରରେ ବସବାସ କରୁଛନ୍ତି। ବାକି ଆଠଜଣ କେରଳର ବିଭିନ୍ନ ଜିଲ୍ଲାରେ ରୁହନ୍ତି। ପର୍ଯ୍ୟଟକ ଦଳରେ ସାମିଲ ଥିବା ଦମ୍ପତିଙ୍କ ସହିତ ଆମେ କଥାହେବା ସମୟରେ ସେମାନେ ସକାଳ ପ୍ରାୟ ୮.୩୦ ସମୟରେ ଉତ୍ତରକାଶୀରୁ ଗଙ୍ଗୋତ୍ରୀ ଯାଉଥିବା କହିଥିଲେ।

ଅପରାହ୍ନରେ ଆମେ ଖବର ପାଇଲୁ କି ଉକ୍ତ ରାସ୍ତାରେ ଭୂସ୍ଖଳନ ହୋଇଛି। ଏହାପରଠାରୁ ସେମାନଙ୍କ ସହିତ ଆମର କୌଣସି ପ୍ରକାରର ଯୋଗାଯୋଗ ହୋଇ ପାରି ନାହିଁ। ହରିଦ୍ୱାରସ୍ଥିତ ଏକ ଟ୍ରାଭେଲ୍ ଏଜେନ୍ସି ୧୦ ଦିନିଆ ଉତ୍ତରାଖଣ୍ଡ ଯାତ୍ରା ଆୟୋଜନ କରିଥିଲା। ଏହି ଟ୍ରାଭେଲ୍ ଏଜେନ୍ସି ମଧ୍ୟ ଉକ୍ତ ପର୍ଯ୍ୟଟକ ଦଳ ବିଷୟରେ କୌଣସି ସୂଚନା ଦେଇପାରୁ ନାହିଁ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି, 'ଭାରତୀୟ ସେନା ଏପର୍ଯ୍ୟନ୍ତ ୧୯୦ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆମକୁ ସମସ୍ତ ପ୍ରକାରର ସାହାଯ୍ୟର ଆଶ୍ୱାସନା ଦେଇଛନ୍ତି, ତାଙ୍କ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ କରାଯାଉଛି। ସମସ୍ତ ଆହତଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। 
ଧରାଲି ଗ୍ରାମରେ ରାସ୍ତା ଅବରୋଧ ହୋଇଯାଇଛି । ଏହାକୁ ମରାମତି ପାଇଁ ପ୍ରୟାସ କରାଯାଉଛି। ଯଥାଶୀଘ୍ର ଏହାକୁ ମରାମତି କରାଯିବ।