ଶିବାଜୀଙ୍କର ପ୍ରସ୍ତାବିତ ପ୍ରତିମୂର୍ତ୍ତିର ଉଚ୍ଚତା ୨୧୨ ମିଟର ରଖିବା ସହ ଏହାକୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ଘୋଷଣା କରିବାକୁ ଦାବିକଲା ଶିବସେନା

ମୁମ୍ବାଇ: ମୁମ୍ବାଇ ଉପକୂଳରେ ସ୍ଥାପିତ ହେବାକୁ ଥିବା ଛତ୍ରପତି ଶିବାଜୀଙ୍କର ପ୍ରସ୍ତାବିତ ପ୍ରତିମୂର୍ତ୍ତି ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ହେବାକୁ ଥିବା ବେଳେ ଏବେ ଏହାର ଉଚ୍ଚତାକୁ ଜାଣିଶୁଣି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ୍‌ କମାଇ ଦେଇଛନ୍ତି ବୋଲି ଶିବସେନା ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ପକ୍ଷରୁ ଅଭିଯୋଗ କରାଯାଇଛି। ଶବସେନା ଓ ଏନ୍‌ସିପି ପକ୍ଷରୁ ଅଭିଯୋଗ କରି କୁହାଯାଇଛି ଯେ ମୁମ୍ବାଇର ଆରବ ସାଗର ଉପକୂଳରେ ସ୍ଥାପିତ ହେବାକୁ ଥିବା ଛତ୍ରପତି ଶିବାଜୀଙ୍କର ପ୍ରସ୍ତାବିତ ପ୍ରତିମୂର୍ତ୍ତିର ଉଚ୍ଚତା ୨୧୨ ମିଟର ହେବା ସ୍ଥିରୀକୃତ ହୋଇଥିଲା ଏବଂ ଯାହାକି ହୋଇଥାନ୍ତା ସମଗ୍ର ବିଶ୍ୱରେ ଉଚ୍ଚତମ ପ୍ରତିମୂର୍ତ୍ତି।

କିନ୍ତୁ, ଗତ ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚିତ କରିଥିବା ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନାମ ଦେବା ସହ ଏହାକୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ବୋଲି ଘୋଷଣା କରିଛନ୍ତି। ଏହି ଘଟଣା ପରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଡରି ଛତ୍ରପତି ଶିବାଜୀଙ୍କର ପ୍ରସ୍ତାବିତ ପ୍ରତିମୂର୍ତ୍ତିର ଉଚ୍ଚତାକୁ ୧୮୨ ମିଟରରୁ ସୁଦ୍ଧା କମାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ଶିବସେନା ଓ ଏନ୍‌ସିପି ଅଭିଯୋଗ କରିଛନ୍ତି। ଏପରିସ୍ଥିତିରେ ଉଭୟ ଦଳର ନେତାମାନେ ଆଜି ମୁଖ୍ୟମନ୍ତ୍ରୀ ଫଡ଼୍‍ନାଭିସ୍‌ଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଅଧ୍ୟକ୍ଷ ଶାହାଙ୍କୁ ନ ଡରି ମୁମ୍ବାଇର ଆରବ ସାଗର ଉପକୂଳରେ ସ୍ଥାପିତ ହେବାକୁ ଥିବା ଛତ୍ରପତି ଶିବାଜୀଙ୍କର ପ୍ରସ୍ତାବିତ ପ୍ରତିମୂର୍ତ୍ତିର ଉଚ୍ଚତା ପୂର୍ବବତ୍‌ ୨୧୨ ମିଟର ରଖିବା ସହ ଏହାକୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର