ବେଙ୍ଗାଲୁରୁ: ବର୍ଷା ପାଇଁ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ଦ୍ୱାରା ଜର୍ଜରିତ ବେଙ୍ଗାଲୁରୁର ଦୁର୍ଦ୍ଦଶା କାହାକୁ ଅଛପା ନାହିଁ । ଯେତେବେଳେ ଦେଶରେ ଟ୍ରାଫିକ୍ ବିଷୟରେ ଆଲୋଚନା କରାଯାଏ, ସେତେବେଳେ ବେଙ୍ଗାଲୁରୁ ପ୍ରଥମ ସହର ଭାବରେ ମନେ ପଡ଼େ। ରାଜ୍ୟରେ ରାସ୍ତାର ଖରାପ ଅବସ୍ଥା, ପାଣି ଜମିବା ଏବଂ ଖାଲ ପାଇଁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ, ଉପମୁଖ୍ୟମନ୍ତ୍ରୀ ଏବଂ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ ଡିକେ ଶିବକୁମାରଙ୍କ ରାସ୍ତାରେ ଥିବା ଖାଲ ସମସ୍ୟା ଉପରେ ବୟାନ ଦେଇଛନ୍ତି, ଯାହା ହଇଚଇ ସୃଷ୍ଟି କରିଛି।
ନିଜ ସରକାରଙ୍କୁ ସମର୍ଥନ କରିବା ପାଇଁ ସେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ତାଙ୍କୁ ବିବାଦୀୟ କରିଛି। ରାସ୍ତାରେ ଖାଲ ସମସ୍ୟା ପାଇଁ ସେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରବଳ ବର୍ଷାକୁ ଦାୟୀ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସହରରେ ପ୍ରାୟ ୭ହଜାର ଗର୍ତ୍ତ ମରାମତି କରାଯାଇଛି ଏବଂ ବର୍ତ୍ତମାନ ଆଉ ୫ହଜାର ଗର୍ତ୍ତ ମରାମତି କରାଯାଉଛି।
ଶିବକୁମାର କହିଛନ୍ତି, "ରାସ୍ତାରେ ଥିବା ଖାଲଗୁଡ଼ିକ ଜାଣିଶୁଣି ସୃଷ୍ଟି ହୋଇନାହିଁ। ଏହା ପ୍ରାକୃତିକ କାରଣ, ବିଶେଷକରି ପ୍ରବଳ ବର୍ଷାର ପରିଣାମ। ଆମେ ସମସ୍ୟାର ସମାଧାନ ପାଇଁ ସକ୍ରିୟ ପଦକ୍ଷେପ ନେଇଛୁ। ପ୍ରାୟ ୭ହଜାର ଖାଲର ମରାମତି ହୋଇସାରିଛି। ବାକି ୫ହଜାର ଖାଲ ଉପରେ କାମ ଦ୍ରୁତ ଗତିରେ ଚାଲିଛି। ମୁଁ ପୁଲିସ କମିଶନରଙ୍କଠାରୁ ଏକ ରିପୋର୍ଟ ମାଗିଛି ଯାହା ଦ୍ଵାରା କାମ ଶୀଘ୍ର ସମାପ୍ତ ହୋଇପାରିବ।"
ସେ ବିଜେପି ବିଧାୟକମାନଙ୍କୁ ରାଜନୈତିକ ପ୍ରସଙ୍ଗ କରିବା ଅପେକ୍ଷା ନିଜ ନିର୍ବାଚନମଣ୍ଡଳୀରେ ଥିବା ଖାଲଗୁଡ଼ିକୁ ଦୂର କରିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ସେ କହିଛନ୍ତି ଯେ, "ମୁଁ ଗତକାଲି ଦିଲ୍ଲୀ ଗସ୍ତ କରିଥିଲି। ଗଣମାଧ୍ୟମ ଦେଖିବା ଉଚିତ ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ରାସ୍ତାରେ କେତେ ଖାଲ ରହିଛି। ନୂଆ ଦିଲ୍ଲୀରେ ୧୦୦ ମିଟର ରାସ୍ତାରେ ୫୦ଟି ଖାଲ ରହିଛି। ହେଲେ କେବଳ ବେଙ୍ଗାଲୁରୁକୁ ଟାର୍ଗେଟ କାହିଁକି କରାଯାଉଛି? ଦେଶର ପ୍ରତ୍ୟେକ ସ୍ଥାନରେ ରାସ୍ତାରେ ଖାଲ ଅଛି। ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭରେ ଥିବା ମୋ ଘର ସାମ୍ନାରେ ମଧ୍ୟ ୫୦ଟି ଖାଲ ରହୀିଛି। ମୁମ୍ବାଇ କିମ୍ବା ଦେଶର ଅନ୍ୟ କୌଣସି ସହରରେ ମଧ୍ୟ ଖାଲ ଅଛି। ଏହା ସବୁ ରାଜ୍ୟର ସମସ୍ୟା। କିନ୍ତୁ ଖାଲି ବେଙ୍ଗାଲୁରୁକୁ କାହିଁକି ବଦନାମ କରାଯାଉଛି ମୁଁ ଜାଣିପାରୁନାହିଁ।"