ନୂଆଦିଲ୍ଲୀ: ଅଦାଲତଙ୍କ ଆଦେଶକ୍ରମେ ଚାଲିଥିବା ଜ୍ଞାନବାପି ମସ୍ଜିଦ୍ର ସର୍ବେକ୍ଷଣ ଆଜି ତୃତୀୟ ଦିବସରେ ଶେଷ ହୋଇଛି। ତୃତୀୟ ଦିନରେ ଗୋଟାଏ କୂଅରୁ ଏକ ଶିବଲିଙ୍ଗ ମିଳିଥିବା କହିଥିଲା ଓକିଲ ବିଷ୍ଣୁ ଜୈନ୍। ଓକିଲ ବିଷ୍ଣୁ ଜୈନଙ୍କ ସୂଚନା ପରେ ବାରଣାସୀ କୋର୍ଟ ଏବେ ସେହି ସ୍ଥାନକୁ ସିଲ୍ କରିବା ପାଇଁ ଆଦେଶ ଦେଇଛନ୍ତି। ବାରଣାସୀ କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ସିଲ୍ କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ଦିଅନ୍ତୁ ନାହିଁ। ଏହାର ଦାୟିତ୍ୱ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ଦିଆଯାଇଛି।
ବାରଣାସୀ କୋର୍ଟ ସ୍ପଷ୍ଟ କରିଛନ୍ତିି ଯେ, ଜିଲ୍ଲା ଅଧିକାରୀ, ପୁଲିସ କମିଶନର ଏବଂ ସିଆରପିଏଫ୍ କମାଣ୍ଡାଣ୍ଟ ସିଲ୍ ହୋଇଥିବା ସ୍ଥାନର ସୁରକ୍ଷା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ।
ସୂଚନାଯୋଗ୍ୟ, ଗତକାଲି ୬୫% ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା। କଡ଼ା ନିରାପତ୍ତା ମଧ୍ୟରେ ଆଜି ସକାଳ ୮ଟା ବେଳେ ୫୮ଜଣ ସଦସ୍ୟବିଶିଷ୍ଟ ସର୍ବେକ୍ଷଣ ଟିମ୍ ଆଡ୍ଭୋକେଟ୍ କମିସନର୍ ବିଶାଳ ସିଂହଙ୍କ ନେତୃତ୍ବରେ ମସ୍ଜିଦ୍ ପରିସରରେ ପ୍ରବେଶ ସର୍ବେକ୍ଷଣ କରିଥିଲେ। ତୃତୀୟ ତଥା ଶେଷ ଦିନରେ ସର୍ଭେ କାର୍ଯ୍ୟ ସମାପ୍ତ କରିବା ପରେ ଦଳ ବାହାରକୁ ଆସିବା ମାତ୍ରେ ହିନ୍ଦୁ ପକ୍ଷ ଶିବଲିଙ୍ଗ ମିିଳିବା ନେଇ ଦାବି କରିଥିଲେ। ହିନ୍ଦୁ ପକ୍ଷ ଅନୁଯାୟୀ, ବାଜୁଖାନାରୁ ଜଳ ନିଷ୍କାସିତ ହେବା ମାତ୍ରେ ସେଠାରେ ୧୨.୮ ଫୁଟର ଶିବଲିଙ୍ଗ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ମୁସଲିମ ପକ୍ଷରୁ ଓକିଲ ମିରାଜୁଦ୍ଦିନ୍ ଏହି ଦାବିକୁ ଭୁଲ ବୋଲି କହିଛନ୍ତି।