ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଖବର ଏକ ଗୁଜବ; କୋର୍ଟରେ ଏଭଳି କହିଲେ ମୁସଲିମ ପକ୍ଷ

ବାରାଣସୀ: ଜ୍ଞାନବାପି ମସଜିଦ ଏବଂ ଶ୍ରୀଙ୍ଗାର ଗୌରୀ  ପରିସରର ବୈଧତା ପ୍ରସଙ୍ଗରେ ଶୁଣାଣି ଗୁରୁବାର ଅପରାହ୍ଣରେ ବାରାଣସୀର ଜିଲ୍ଲା ଜଜଙ୍କ କୋର୍ଟରେ ହୋଇଥିଲା। ପ୍ରଥମେ କୋର୍ଟ ଓକିଲଙ୍କ ଜରିଆରେ ମୁସଲମାନ ପକ୍ଷ କରୁଥିବା ଦାବି ଶୁଣିଥିଲେ ।  ହିନ୍ଦୁ ପକ୍ଷ ଯାହାକୁ ଶିବଲିଙ୍ଗ ବୋଲି କହୁଛନ୍ତି, ତାହା ମିଛ। ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଖବର ଏକ ଗୁଜବ ବୋଲି ଅଦାଲତଙ୍କୁ କହିଛି  ମୁସଲିମ ପକ୍ଷ। ଉପାସନାସ୍ଥଳୀ ଅଧିନିୟମ-୧୯୯୧ର ଉଲଂଘନ ହୋଇଥିବା କହି ମୁସଲିମ ପକ୍ଷ ଜ୍ଞାନବାପି ମାମଲାରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଅଦାଲତରେ ନିଜର ଯୁକ୍ତି ଦର୍ଶାଇ ମୁସଲିମ ପକ୍ଷ କହିଥିଲେ ଯେ ଶିବଲିଙ୍ଗ ମିଳିବା କଥା ଏକ ଗୁଜବ। ଏହା ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରାଯାଉଛି। ମୁସଲିମ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଅଭୟନାଥ ଯାଦବ କହିଛନ୍ତି ଯେ ମସଜିଦରେ ଶିବଲିଙ୍ଗ ମିଳିବା କହି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଉଛି। ୧୯୯୧ର ଉପାସନାସ୍ଥଳୀ ଅଧିନିୟମ ଅନୁଯାୟୀ ଏହି ମାମଲା ଶୁଣାଣି ପାଇଁ ଯୋଗ୍ୟ ନୁହେଁ।

ଏହାପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ସୋମବାର ବାରାଣସୀ ଜିଲ୍ଲାଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ପ୍ରାୟ ୪୫ ମିନିଟ୍ ଶୁଣାଣି ପରେ କୋର୍ଟ ଏହି ମାମଲାକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ମଙ୍ଗଳବାର ଦିନ ଏହାର ଶୁଣାଣି କରି ଅଦାଲତ ନିଷ୍ପତ୍ତି ନେଇଥିଲେ ଯେ ମୁସଲିମ ପକ୍ଷର ଯୁକ୍ତି ଉପରେ ପ୍ରଥମେ ଶୁଣାଣି ହେବ ଏବଂ ମାମଲାଟି ଶୁଣାଣି ହେବାର ଯୋଗ୍ୟ କି ନାହିଁ ତାହା ସ୍ଥିର ହେବ।

ସମ୍ବନ୍ଧିତ ଖବର