ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥିନୀ ହେବା ଜାଣି ଆଦିବାସୀ ବେଶପୋଷାକ ସାଜି, ଧନୁଶର ଧରି ନାଚିଲେ ଶିବରାଜ ଚୌହାନ୍‌

ଭୋପାଳ: ଦ୍ରୌପଦୀ ମୁର୍ମୁ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ମନୋନୀତା ହେବା ପରେ ଆନନ୍ଦ ବ୍ୟକ୍ତ କରିବା ଲାଗି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍‌ ଆଦିବାସୀ ବେଶପୋଷାକ ସାଜି ଧନୁଶର ଧରି ନୃତ୍ୟ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ମନୋନୀତ କରିଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ବ ଉପରେ ଖୁବ୍‌ ଖୁସି ବୋଲି ସେ ଟୁଇଟର୍‌ରେ ମଧ୍ୟ ଲେଖିଛନ୍ତି। ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି: ଆଦରଣୀୟା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥିନୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ନେତୃତ୍ବ ପ୍ରତି କୃତଜ୍ଞତା ଜ୍ଞାପନପୂର୍ବକ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜନଜାତିର ଭାଇଭଉଣୀମାନଙ୍କ ସହିତ ସେମାନଙ୍କର ଅଦ୍ବିତୀୟ ଲୋକନୃତ୍ୟ ଏବଂ ସଙ୍ଗୀତକୁ ବନ୍ଧୁ ଭି.ଡି. ଶର୍ମାଙ୍କ ସହିତ ଉପଭୋଗ କଲି।

ସଦ୍ୟତମ ସୂଚନା ଅନୁସାରେ, ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚି ଓଡ଼ିଶା ଭବନର ଅବସ୍ଥାନ କରୁଥିବା ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ସୁରକ୍ଷା ବ୍ୟବସ୍ଥାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବାହାରିଛନ୍ତି।

ପ୍ରାପ୍ତ ସୂଚନା ଅନୁସ‌ାରେ, ତାଙ୍କର ପ୍ରାର୍ଥୀପତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ପ୍ରସ୍ତୁତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଭୃତି ‌ଅ‌ନେକ ବିଶିଷ୍ଟ ନେତା ମୁର୍ମୁଙ୍କର ପ୍ରସ୍ତାବକ ଅଛନ୍ତି। ସମସ୍ତ ପ୍ରସ୍ତାବକ ଯୋଶୀଙ୍କ ବାସଭବନକୁ ଯାଇ କାଗଜପତ୍ରରେ ସ୍ବାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର