ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରବିବାର ଭାରତୀୟ ଜନତା ପାର୍ଟି ଦମ୍ଦାର ବିଜୟ ହାସଲ କରିଥିବା ବେଳେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସମେତ ଶିବରାଜ ସିଂହ ଚୌହାନ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ଦତିଆ ଆସନରୁ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କଠାରୁ ଶ୍ରୀ ମିଶ୍ର ୭୭୪୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଅତେରରୁ ମନ୍ତ୍ରୀ ଅରବିନ୍ଦ ଭଦୋରିଆ, ହରଦାରୁ କମଲ ପଟେଲ ଓ ବାଲାଘାଟରୁ ଗୌରୀଶଙ୍କର ବିସେନ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବଦୱାନୀରୁ ପ୍ରେମ ସିଂହ ପଟେଲ, ବାମୋରୀରୁ ମହେନ୍ଦ୍ର ସିଂହ ସିସୋଦିଆ, ବଦନାୱାରରୁ ରାଜବର୍ଦ୍ଧନ ସିଂହ ଦତ୍ତିଗାଓଁ, ଗ୍ୱାଲିୟର ଗ୍ରାମୀଣରୁ ଭରତ ସିଂହ କୁଶୱାହା, ଅମରପାଟଣାରୁ ରାମଖେଲାୱାନ ପଟେଲ ଏବଂ ପୋହରିରୁ ସୁରେଶ ଧାକଡ ବିଜୟୀ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇପାରି ନ ଥିଲେ। ସିସୋଦିଆ ଏବଂ ଦତ୍ତିଗାଓଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ। ନିର୍ବାଚନ ପୂର୍ବରୁ ଶେଖାୱତ ବିଜେପିରୁ କଂଗ୍ରେସରେ ଯୋଗ ଦେଇଥିବା ଭଂବର ସିଂହ ଶେଖାୱତଙ୍କଠାରୁ ଦତ୍ତିଗାଓଁ ପରାସ୍ତ ହୋଇଥିଲେ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ପୁତୁରା ରାହୁଲ ସିଂହ ଲୋଧି ଖାରଗାପୁରରୁ ପରାସ୍ତ ହୋଇଛନ୍ତି। ଅନ୍ୟ ଜଣେ ମନ୍ତ୍ରୀ ରାମ କିଶୋର କାଓରେ ମଧ୍ୟ ପାରସୱାଡାରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ସିନ୍ଧିଆଙ୍କ ସମର୍ଥକ ବିଜେପି ପ୍ରାର୍ଥୀ ଇମରତୀ ଦେବୀ ଡାବରାରୁ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କଠାରୁ ୨୨୬୭ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ସତନାରୁ ବର୍ତ୍ତମାନର ବିଜେପି ସାଂସଦ ଗଣେଶ ସିଂହ କଂଗ୍ରେସ ପ୍ରାର୍ଥୀ ଡାବୁ ସିଦ୍ଧାର୍ଥ ସୁଖଲାଲ କୁଶୱାହାଙ୍କଠାରୁ ୪୦୪୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ପଟେଲ, ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, କଂଗ୍ରେସର କମଲନାଥ ଏବଂ ପୂର୍ବତନ ମନ୍ତ୍ରୀ ରାମ ନିବାସ ରାୱତ ପ୍ରମୁଖ ରାଜ୍ୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଟିଭି ଅଭିନେତାରୁ କଂଗ୍ରେସ ନେତା ପାଲଟିଥିବା ବିକ୍ରମ ମସ୍ତଲ ଶର୍ମାଙ୍କୁ ପରାସ୍ତ କରି ଚୌହାନ ୧,୦୪,୯୭୪ ଭୋଟ୍ ବ୍ୟବଧାନରେ ନିଜର ବୁଧନୀ ଆସନ ବଜାୟ ରଖିଛନ୍ତି। ସେ ବୁଧନୀ ଆସନରୁ ଷଷ୍ଠ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟ କଂଗ୍ରେସ ସଭାପତି କମଲନାଥ ନିଜ ନିର୍ବାଚନ ମଣ୍ଡଳୀ ଛିନ୍ଦୱାଡାରୁ ବିଜେପି ପ୍ରାର୍ଥୀ ବିବେକ ବଣ୍ଟି ସାହୁଙ୍କୁ ୩୬,୫୯୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ ହେଁ ଦଳର ପରାଜୟ ଓ ଖରାପ ପ୍ରଦର୍ଶନ ତାଙ୍କ ବିଜୟରୁ ସମସ୍ତ ଚମକ ଛଡ଼ାଇ ନେଇଛି।