ଉଦ୍ଧବଙ୍କ ବିଦ୍ରୋହୀ କୁହାଯାଉଥିବା ୧୨ଜଣ ସାଂସଦଙ୍କୁ ମିଳିଲା ‘ୱାଇ’ ବର୍ଗର ସୁରକ୍ଷା

ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ। ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ମଧ୍ୟରେ ଆଜି ଉଦ୍ଧବଙ୍କ ସହ ଥିବା ୧୨ଜଣ ସାଂସଦଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛି। ଗତକାଲି ୧୨ଜଣ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ। ହେଲେ ବାଚସ୍ପତି ତାଙ୍କ ଚିଠି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ତେବେ ଚିଠି ଲେଖିବା ପରେ ଏବେ ୧୨ଜଣ ସାଂସଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସିନ୍ଦେଙ୍କ ଗୋଷ୍ଠୀ ଗତକାଲି ମହାରାଷ୍ଟ୍ରରେ ଏକ ବୈଠକ କରିଥିଲେ। ଏହି ବୈଠକରେ ଉଦ୍ଧବଙ୍କ ୧୪ଜଣ ଶିବସେନା ସାଂସଦ ମଧ୍ୟ ଅନଲାଇନରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ନିର୍ବାଚନ ପରେ ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିବେ ବୋଲି କହିଥିବା ଚର୍ଚ୍ଚା ହେଉଥିଲା।

କୁହାଯାଇଥିଲା ‌ଯେ, ସିନ୍ଦେ ଏବଂ ଫଡନାବିସ୍ ସୋମବାର ରାତିରେ ଶିବସେନା ସାଂସଦଙ୍କ ସହ ଦିଲ୍ଲୀ ଯିବେ। ସେ ସେଠାରେ ମଙ୍ଗଳବାର ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବଙ୍କ ସହ ଥିବା ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀଙ୍କ ସହ ହାତ ମିଳାଇଥିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିବେ। ତେବେ ୧୨ଜଣ ସାଂସଦ ସିନ୍ଦେଙ୍କ ସହ ହାତ ମିଳାଇଥିବା ନେଇ କୌଣସି ଅଧିକାରୀକ ଘୋଷଣା ହୋଇନଥିଲେ ବି ‘ୱାଇ’ ବର୍ଗର ସୁରକ୍ଷା ମିଳିବା ପରେ ସେମାନେ ସିନ୍ଦେଙ୍କ ଗୋଷ୍ଠୀରେ ଖୁବଶୀଘ୍ର ସାମିଲ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର