ମୁମ୍ବାଇ: ଶିବସେନା ଉପରେ ଅଧିକାର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି | ଭାରତର ନିର୍ବାଚନ ଆୟୋଗ ଦଳର ନାମ ଏବଂ ନିର୍ବାଚନ ପ୍ରତୀକ 'ଧନୁ-ତୀର' ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାଖରେ ଦଳର ନୂତନ ନାମ ଏବଂ ପ୍ରତୀକ ଚୟନ କରିବାର ବିକଳ୍ପ ରହିଛି। ତେବେ, ଯଦି ଆମେ ଶିବସେନାର ନିର୍ବାଚନ ଇତିହାସକୁ ଦେଖିବା ତେବେ ଦଳ ବିଭିନ୍ନ ପ୍ରତୀକ ଉପରେ ଅନେକ ଥର ନିର୍ବାଚନ ଲଢ଼ିଛି | ଯେତେବେଳେ ଶିବସେନା ପ୍ରତିଷ୍ଠା କରାଯାଇଥିଲା ସେତେବେଳେ ଏହାର ନିର୍ବାଚନୀ ଚିହ୍ନ ଧନୁ ତୀର ନଥିଲା | ସ୍ବର୍ଗତଃ ବାଲ ଠାକରେ ଜୁନ୍ ୧୯୬୬ରେ ଶିବସେନାକୁ ପ୍ରତିଷ୍ଠା କରିଥିଲେ | ସେବେଠାରୁ ଦଳର ନିର୍ବାଚନ ଯାତ୍ରାରେ ଅନେକ ପ୍ରତୀକ ଦେଖିବାକୁ ମିଳିଥିଲା |
ଏଥିମଧ୍ୟରେ ଟ୍ରେନ୍ ଇଞ୍ଜିନ୍, ଗଛ ଏବଂ ଢାଲ-ଖଣ୍ଡା ମଧ୍ୟ ଥିଲା | ୧୯୮୯ ମସିହାରେ ୪ ଜଣ ସାଂସଦ ଲୋକସଭାରେ ପହଞ୍ଚିବା ପରେ ଦଳ ବର୍ତ୍ତମାନର 'ଧନୁ-ତୀର' ପ୍ରତୀକ ପାଇଥିଲା। ରିପୋର୍ଟ ଅନୁଯାୟୀ, ୧୯୬୬ ମସିହାରେ ସୃଷ୍ଟି ହୋଇଥିବା ଶିବସେନା ୧୯୬୮ ମସିହାରେ ଯେତେବେଳେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ସେତେବେଳେ ଦଳର ପ୍ରତୀକ ଖଣ୍ଡା-ଢାଲ ଥିଲା। ସେହିପରି ୧୯୭୮ ମସିହାର ନିର୍ବାଚନରେ ରେଳ ଇଞ୍ଜିନର ପ୍ରତୀକକୁ ନେଇ ଦଳ ନିର୍ବାଚନ ଲଢ଼ିଥିଲେ | ୧୯୮୫ ବିଧାନସଭା ନିର୍ବାଚନରେ ଶିବସେନା ପ୍ରାର୍ଥୀମାନେ ବ୍ୟାଟ୍-ବଲ୍ ଭଳି ପ୍ରତୀକ ସହିତ ନିର୍ବାଚନ ଲଢ଼ିଥିଲେ। ବିଶେଷ କଥା ହେଉଛି ନିର୍ବାଚନ ଆୟୋଗ ଏଭଳି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ସମୟରେ ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଉଭୟ ଗୋଷ୍ଠୀ ପ୍ରତିଦ୍ବନ୍ଦିତା କରିବେ |