ସ୍ନେହା ଦେଶର ପ୍ରଥମ ଜାତି-ଧର୍ମବିହୀନ ମହିଳା

ନୂଆଦିଲ୍ଲୀ: ତାମିଲନାଡ଼ୁର ୩୫ ବର୍ଷୀୟା ଏମ୍‌ଏ ସ୍ନେହା ଆଇନଗତ ଭାବେ ଦେଶର ପ୍ରଥମ ଜାତି ଏବଂ ଧର୍ମ ବିହୀନ ମହିଳା। ତିରୁପଥୁରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟରତ ସ୍ନେହା ଜନ୍ମରୁ ଆଜି ପର୍ଯ୍ୟନ୍ତ କୌଣସି ବି କାଗଜପତ୍ରରେ ନିଜକୁ କୌଣସି ନିର୍ଦ୍ଦି‌ଷ୍ଟ ଜାତି କିମ୍ବା ଧର୍ମର ‌ବୋଲି ଦର୍ଶାଇନାହାନ୍ତି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ଧର୍ମର ବୋଲି ଅଭିହିତ କରିନାହାନ୍ତି। ତେବେ ପ୍ରଥମ ଥର ପାଇଁ ସ୍ନେହା ଆଇନଗତ ଭାବେ ଦେଶର ପ୍ରଥମ ଜାତି ଏବଂ ଧର୍ମବିହୀନ ବ୍ୟକ୍ତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ତେବେ ଏ ବାବଦରେ ସ୍ନେହା ଲିଖିତ ଆବେଦନ କରିବା ପରେ ତାମିଲନାଡ଼ୁ ସରକାର ତାଙ୍କୁ ଜାତି-ଧର୍ମବିହୀନ ପ୍ରମାଣପତ୍ର ଦେଇଛନ୍ତି। କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଯଦି ପ୍ରମାଣପତ୍ର ମିଳିପାରୁଛି, ତେବେ ତାଙ୍କୁ କାହିଁକି ପ୍ରମାଣପତ୍ର ମିଳିବନି ବୋଲି ସେ ପ୍ରଶ୍ନ କରିଥିଲେ। ‌ସ୍ନେହା ତାଙ୍କ ବାପା ମା’ଙ୍କ ନାଁର ପ୍ରଥମ ଅକ୍ଷରକୁ ତାଙ୍କ ନାଁ ଆରମ୍ଭରେ ରଖିଛନ୍ତି। ସ୍ନେହା ଏବଂ ତାଙ୍କ ସ୍ବାମୀ କେ ପାର୍ଥିବରାଜ ସେମାନଙ୍କ ୩ ଝିଅଙ୍କ ନାଁ ଯଥାକ୍ରମେ ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ମୁସଲିମ୍‌ର ସମ୍ମିଶ୍ରଣ କରି ଯଥାକ୍ରମେ ଆଧିରୀ ନସରିନ୍‌, ଆଧିଲା ଆଇରିନ୍‌ ଏବଂ ଆରିଫା ଜେସି ରଖିଛନ୍ତି। ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ରରେ ସ୍ନେହା କିମ୍ବା ତାଙ୍କ ପରିବାରର କାହାର ଧର୍ମ କିମ୍ବା ଜାତି ବିଷୟରେ କିଛି ଉଲ୍ଲେଖ ନାହିଁ।

ସମ୍ବନ୍ଧିତ ଖବର