ଲଣ୍ଡନ: ବ୍ରିଟେନର ସୁପ୍ରିମ୍କୋର୍ଟ ସରକାରଙ୍କ ବିବାଦୀୟ ରୱାଣ୍ଡା ନୀତିକୁ ‘ବେଆଇନ’ ବୋଲି କହି ବୁଧବାର ଖାରଜ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ଏହା ଏକ ବଡ଼ ଝଟ୍କା। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଥିବା ଆପ୍ରବାସନକୁ ହ୍ରାସ କରିବା ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ବୋଲି କଞ୍ଜରଭେଟିଭ୍ ନେତା କହିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧୀନରେ ଏହି ନୀତି ସ୍ୱାକ୍ଷରିତ ହେବା ପରେ ଆରମ୍ଭ ହୋଇଥିବା ଏକ ଦୀର୍ଘ କାହାଣୀର ସଦ୍ୟତମ ଅଧ୍ୟାୟ ହେଉଛି ଏହି ରାୟ।
ସୁପ୍ରିମ୍କୋର୍ଟଙ୍କ ରାୟର କିଛି ଘଣ୍ଟା ପରେ ସୁନକ କହିଛନ୍ତି ଯେ, ତାଙ୍କ ସରକାର ରୱାଣ୍ଡା ସହ ଏକ ନୂଆ ଚୁକ୍ତି ଉପରେ କାମ କରୁଛନ୍ତି ଏବଂ ଦରକାର ପଡ଼ିଲେ ଦେଶର ଆଇନକୁ ବଦଳାଇ ପାରନ୍ତି। ସୁନକ ସଂସଦରେ କହିଛନ୍ତି, ଯଦି ଏହା ସ୍ପଷ୍ଟ ହୁଏ ଯେ ଆମର ଘରୋଇ ଆଇନଗତ ଢାଞ୍ଚା କିମ୍ବା ଅନ୍ତର୍ଜାତୀୟ ଚୁକ୍ତି ଏକ ନିରାଶାଜନକ ଯୋଜନା, ତେବେ ମୁଁ ଆମର ଆଇନକୁ ପରିବର୍ତ୍ତନ କରିବାକୁ ଏବଂ ସେହି ଅନ୍ତର୍ଜାତୀୟ ସମ୍ପର୍କକୁ ପୁନର୍ବିଚାର କରିବାକୁ ପ୍ରସ୍ତୁତ ଅଛି।
ସୁପ୍ରିମ୍କୋର୍ଟଙ୍କ ଏହି ନିଷ୍ପତ୍ତି ସୁନକଙ୍କ ଆପ୍ରବାସନ ଯୋଜନାକୁ ଏକ ଧକ୍କା ଦେଇଛି ଏବଂ ଦକ୍ଷିଣପନ୍ଥୀ ସାଂସଦ ଓ ମଧ୍ୟମପନ୍ଥୀଙ୍କ ମଧ୍ୟରେ ଶାସକ ଟୋରି ଦଳରେ ଏହା ଫାଟ ସୃଷ୍ଟି କରିପାରେ।
‘ମାଇଗ୍ରେସନ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ ପାର୍ଟନରସିପ୍’ ଯୋଜନା ଅନୁଯାୟୀ ରୱାଣ୍ଡାରୁ ଛୋଟ ଡଙ୍ଗା କିମ୍ବା ଲରି ଜରିଆରେ ବେଆଇନ ତଥା ବିପଜ୍ଜନକ ଭାବେ ବ୍ରିଟେନ ଆସୁଥିବା ଲୋକମାନଙ୍କୁ ଅଧାବାଟରୁ ନିଜ ଦେଶକୁ ପଠାଇଦେବାର ପରିକଳ୍ପନା କରାଯାଇଥିଲା। ଚଳିତ ବର୍ଷ ୨୭ ହଜାରରୁ ଅଧିକ ଲୋକ ଏହିପରି ଯାତ୍ରା କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ଲିଜ୍ ଟ୍ରସଙ୍କ ଉତ୍ତରାଧିକାରୀ ହେବା ପରେ ସୁନକ ଛୋଟ ଡଙ୍ଗାଗୁଡ଼ିକୁ ଅଟକାଇବାକୁ ତାଙ୍କର ପାଞ୍ଚଟି ପ୍ରମୁଖ ପ୍ରାଥମିକତା ମଧ୍ୟରୁ ଅନ୍ୟତମ କରିଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣ ବିଚାରପତି ବୁଧବାର କହିଛନ୍ତି ଯେ ଶରଣାର୍ଥୀମାନଙ୍କୁ ନିଜ ଦେଶକୁ ଫେରାଇ ଦେଲେ ସେଠାରେ ସେମାନଙ୍କ ପ୍ରତି ଅଧିକ ବିପଦ ଆସିବ।