ମହାରାଷ୍ଟ୍ର ସରକାରକୁ ଝଟ୍‌କା: ସଂରକ୍ଷଣ ସୀମା ୫୦% ରହିବ

ମରାଠା ସଂପ୍ରଦାୟକୁ ୧୬% ସଂରକ୍ଷଣ ବ୍ୟବସ୍ଥା ସୁପ୍ରିମକୋର୍ଟରେ ରଦ୍ଦ

ନୂଆଦିଲ୍ଲୀ : ମରାଠା ସଂପ୍ରଦାୟଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ ସଂରକ୍ଷଣ ନୀତିକୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରିମ୍‌ କୋର୍ଟ ମହାରାଷ୍ଟ୍ରରେ ମରାଠାଙ୍କ ପାଇଁ ଥିବା ୧୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିଦେଇଛନ୍ତି। ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଲଂଘନ କରିପାରିବେ ନାହିଁ ଏବଂ ଏଭଳି ହେଲେ ଲୋକଙ୍କ ମୌଳିକ ଅଧିକାର ପ୍ରତି ବିପଦ ସୃଷ୍ଟି ହେବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହା ବ୍ୟତୀତ ସୁପ୍ରିମ୍‌ କୋର୍ଟ ସଂରକ୍ଷଣ ସୀମା ନିର୍ଦ୍ଧାରଣ ନେଇ ପୂର୍ବ ରାୟର ମଧ୍ୟ ପୁନର୍ବିଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ମରାଠା ସଂପ୍ରଦାୟକୁ ୧୬ ପ୍ରତିଶତ ସଂରକ୍ଷଣ ଦିଆଗଲେ ଏହା ସଂରକ୍ଷଣର ସର୍ବାଧିକ ସୀମା ୫୦ ପ୍ରତିଶତକୁ ଅତିକ୍ରମ କରିଯାଉଛି। ସଂରକ୍ଷଣ ସୀମା ୫୦ ପ୍ରତିଶତ ପାର୍‌ କରିବା ଅସାମ୍ବିଧାନିକ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ୫ ଜଣିଆ ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ, ଜଷ୍ଟିସ୍‌ ଅବ୍‌ଦୁଲ ନଜିର, ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ୍‌ ଏସ୍‌ ରବିନ୍ଦ୍ର ଭଟ୍ଟ।

ମଣ୍ଡଳ କମିସନ ମମାଲାରେ ସୁପ୍ରିମ୍‌ କୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ସେଥିରେ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବା ପାଇଁ ନିର୍ଦ୍ଧାରଣ କରିଥିଲେ। ରାଜ୍ୟ ସରକାର ମରାଠା ସଂପ୍ରଦାୟକୁ ସଂରକ୍ଷଣ ଦେବାରୁ ଏହା ୬୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚୁଛି। ଏଭଳି ସ୍ଥିତିରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ସୁଯୋଗ ବହୁତ କମିଯାଉଛି, ଯାହାକି କଦାପି ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ମହାରାଷ୍ଟ୍ର ସରକାର ମରାଠା ସଂପ୍ରଦାୟ ପାଇଁ ସରକାରୀ ଚାକିରି ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦେଇଥିଲେ। ଜୁନ୍‌ ୨୦୧୯ରେ ମଧ୍ୟ ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ରାୟ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଏବଂ ହାଇକୋର୍ଟ ରାୟକୁ ଚ୍ୟାଲେଂଜ କରି ମାମଲା ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର