ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ଝଟ୍‌କା: ପିଲାଙ୍କଠାରେ କୋଭୋଭାକ୍ସର ପରୀକ୍ଷଣ ଅନୁମତି ମିଳିଲାନି, ଅଧିକ ତଥ୍ୟ ନ ମିଳିବାରୁ ନାମଞ୍ଜୁର

ନୂଆଦିଲ୍ଲୀ: ପୁନେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)କୁ ଏକ ବଡ଼୍‌ ଝଟ୍‌କା ଲାଗିଛି। ଏହି କମ୍ପାନି ପକ୍ଷରୁ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ ପରୀକ୍ଷଣ ପାଇଁ ମଗାଯାଇଥିବା ଅନୁମତିକୁ କେନ୍ଦ୍ରୀୟ ମାନକ ଔଷଧ ନିୟନ୍ତ୍ରଣ ସଂସ୍ଥା (ସିଡିଏସ୍‌ସିଓ)ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ନାମଞ୍ଜୁର କରିଦେଇଛି। ବିଶେଷଜ୍ଞ କମିଟିର ମତ ହେଲା ଶିଶୁଙ୍କ ଠାରେ ଟିକାକୁ ପରୀକ୍ଷଣ ପାଇଁ ଅନୁମତି ଦେବା ପୂର୍ବରୁ ସାବାଳକଙ୍କ ଠାରେ ଏହାର ନିରାପଦତା କିଭଳି ରହିଛି ତାହା ସଂପର୍କରେ ଅଧିକ ତଥ୍ୟ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଆମେରିକାର ଜୈବପ୍ରଯୁକ୍ତି କମ୍ପାନି ନୋଭାଭାକ୍ସର କରୋନା ଟିକା ଏନ୍‌ଭିଏକ୍ସ-କୋଭ୍‌୨୩୭୩ ଟିକାର ବ୍ରାଣ୍ଡ୍‌ ନାମ କୋଭୋଭାକ୍ସ ରଖାଯାଇଛି। ଭାରତରେ ଏହି ଟିକାକୁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଛି।

ନିକଟରେ ଏହି ଟିକାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଆବେଦନ କରିଥିଲା। ଦେଶରେ ୨ରୁ ୧୭ ବର୍ଷର ପିଲାଙ୍କ ଠାରେ ଏହି ପରୀକ୍ଷଣ କରାଯାଇଥାନ୍ତା। ୯୨୦ ଜଣ ପିଲାଙ୍କ ଠାରେ ଏହି ପରୀକ୍ଷା ହେବାର ଥିଲା। ସେମାନଙ୍କ ମଧ୍ୟରୁ ୪୬୦ ଜଣ ପିଲାଙ୍କ ବୟସ ୧୨ରୁ ୧୭ ଏବଂ ଅନ୍ୟ ୪୬୦ ଜଣ ପିଲାଙ୍କ ବୟସ ୨ରୁ ୧୧ ବର୍ଷ ଭିତରେ ରହିଥାନ୍ତା। ଗତ ସୋମବାର କମ୍ପାନି ପକ୍ଷରୁ ଏ ନେଇ ଆବେଦନ କରାଯାଇଥିଲା। ଦେଶର ୧୦ଟି ସ୍ଥାନରେ ଏହି ପରୀକ୍ଷଣ ହୋଇଥାନ୍ତା। ଜୁଲାଇ ସୁଦ୍ଧା କମ୍ପାନି ପିଲାଙ୍କ ଠାରେ ଏହି ଟିକାର ପରୀକ୍ଷଣ ଆରମ୍ଭ କରିବା ନେଇ ଆଶା ରଖିଥିଲା। ଆବଶ୍ୟକ ମଞ୍ଜୁରି ମିଳି‌ଗଲେ କମ୍ପାନି ଏହି ଟିକାକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ କରାଇବ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ପୂର୍ବରୁ କହିଥିଲେ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ଟିକାକୁ ଆମେରିକା ସହିତ ବିଶ୍ବର ଅନ୍ୟ କୌଣସି ଦେଶରେ ନିୟାମକ ସଂସ୍ଥାର ଅନୁମତି ମିଳିନାହିଁ। ବର୍ତ୍ତମାନ ଏହି କମ୍ପାନି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା କମ୍ପାନି ପକ୍ଷରୁ ପ୍ରସ୍ତୁତ ଟିକା ନିର୍ମାଣ କରୁଛି। ଭାରତରେ ସିରମ୍ ଉତ୍ପାଦନ କରୁଥିବା ଏହି ଟିକାର ନାମ କୋଭିସିଲ୍‌ଡ ରହିଛି। ଏଥିସହିତ ଗତମାସରୁ କମ୍ପାନି କୋଭୋଭାକ୍ସ ଟିକାର ଉତ୍ପାଦନ ମଧ୍ୟ କରୁଛି।

ସମ୍ବନ୍ଧିତ ଖବର