ନାସିକ: ମୋବାଇଲ୍ ଫୋନ ଆମକୁ ଯେତିକି ଶିକ୍ଷା ଦେଉଛି ସେତିକି ଅବାଟରେ ମଧ୍ୟ ନେଇ ଯାଉଛି। ନିକଟରେ ସ୍କୁଲ ପିଲାଙ୍କ ବ୍ୟାଗରୁ କଣ୍ଡୋମ ଓ ନିଶାଦ୍ରବ୍ୟ ଭଳି ସାମଗ୍ରୀ ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ନାସିକ ଜିଲ୍ଲାର ଘୋଟିର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ନିକଟରେ ହଠାତ୍ ଛାତ୍ରମାନଙ୍କ ବ୍ୟାଗ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଏହି ସମୟରେ ୮ମ ଏବଂ ୯ମ ଶ୍ରେଣୀର ୫ ରୁ ୬ ଜଣ ଛାତ୍ରଙ୍କ ବ୍ୟାଗରୁ ବାଣ, ଛୁରୀ, ସାଇକେଲ ଚେନ୍, ଲୁହା ରଡ୍, କଣ୍ଡୋମ୍ ପ୍ୟାକେଟ, ତାସ ଏବଂ ଏସିଡିକ୍ ପଦାର୍ଥ ମିଳିଥିଲା। ଏହା ଦେଖି ଶିକ୍ଷକ ଏବଂ ଅଭିଭାବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଘଟଣାକୁ ନେଇ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସନ୍ଦେହ କରୁଛନ୍ତି କି, ଏସବୁ ସାମଗ୍ରୀ ସହିତ ହୁଏତ ସମ୍ପୃକ୍ତ ପିଲାମାନେ ଜଡ଼ିତ ଥାଇ ପାରନ୍ତି। ଏହି ଘଟଣାରେ ସ୍କୁଲ ପ୍ରଶାସନ ଏବଂ ଅଭିଭାବକ ଉଭୟ ଚିନ୍ତିତ ହୋଇପଡ଼ିଛି। ପିଲାଙ୍କ ବ୍ୟାଙ୍ଗରୁ ନିଶାଦ୍ରବ୍ୟ ଓ କଣ୍ଡୋମ ମିଳିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।
ସୋସିଆଲ ମିଡିଆର ପ୍ରଭାବ ହେତୁ ପିଲାମାନେ ଭୁଲ ସାଙ୍ଗସାଥୀଙ୍କ ସହିତ ପଡ଼ି ଅବାାଟରେ ଚାଲି ଯାଉଛନ୍ତି। ଏପରି ପରିସ୍ଥିତିକୁ ଏଡାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନର ଆବଶ୍ୟକତା ଅଛି। ଏଥିପାଇଁ ସ୍କୁଲ ପ୍ରଶାସନ ବୈଠକ ଡାକି ପିଲାଙ୍କ ବାପା ଓ ମା’ଙ୍କୁ ନିଜ ସନ୍ତାନ କ’ଣ କରୁଛି କ’ଣ ନାହିଁ ଫୋନରେ ସେ କେତେ ସମୟ ବିତାଉଛି। ଫୋନ ଦେଖିଲା ବେଳେ କ’ଣ କରୁଛି ସେଦିଗ ପ୍ରତି ଦୃଷ୍ଟି ଦେବାକୁ ବାରମ୍ବାର ସଚେତନ କରି ଆସିଛି।
ନାସିକର ଏହି ଘଟଣା ସମ୍ପର୍କରେ ପୁଲିସକୁ ରିପୋର୍ଟ କରାଯାଇଛି । ଅଭିଭାବକ ଏବଂ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।