ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଓରଫ ଶିବାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଗିରଫ ପରେ ଉତ୍ତର ପ୍ରଦେଶର ଏସ୍ଟିଏଫ ଶିବ କୁମାରକୁ ପଚରା ଉଚରା ସମୟରେ ଜଣାପଡ଼ିଛି। ବିଷ୍ଣୋଇ ଗ୍ୟାଙ୍ଗର ନିର୍ଦ୍ଦେଶ କ୍ରମେ ମୁମ୍ବାଇରେ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିଲା। ଏମିତି କି ଗ୍ୟାଙ୍ଗର ନିର୍ଦ୍ଦେଶ ଥିଲା କି ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ସମୟରେ ଯେପରି ଗୁଳି ପୁଲିସ କି ଅନ୍ୟ କୌଣସି ଲୋକଙ୍କ ଶରୀରରେ ନବାଜେ। ଏଥିପାଇଁ ସତର୍କ ରହିବାକୁ ଗ୍ୟାଙ୍ଗ ପକ୍ଷରୁ ଶିବ କୁମାରକୁ ଚେତାବନୀ ଦିଆଯାଇଥିଲା।
ମୁମ୍ବାଇର ବାନ୍ଦ୍ରାରେ ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ଶିବ କୁମାର ଗତ ସପ୍ତାହରେ ଲୁଚିଲୁଚି ବହରାଇଚ ପହଞ୍ଚି ଯାଇଥିଲା। ସେ ପୂର୍ବରୁ ମୁମ୍ବାଇରୁ ପୁଣେ ଯାଇଥିଲା। ତା’ପରେ ଝାନସି, ଲକ୍ଷ୍ମୌ ହୋଇ ବହରାଇଚରେ ପହଞ୍ଚିଥିଲା।
ଶିବ କୁମାର ନେପାଳ ଫେରାର ହେବାର ଯୋଜନା କରିଥିଲା। କିନ୍ତୁ ଏହାପୂର୍ବରୁ ଉତ୍ତର ପ୍ରଦେଶର ଏସ୍ଟିଏଫ ଓ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ରବିବାର ସୁଟର ଶିବ କୁମାର ଓ ତାର ସହଯୋଗୀଙ୍କୁ ନେପାଳ ସୀମାରୁ ୧୫୦ କିମି ଦୂରରେ ଥିବା ବହରାଇଚ ଜିଲ୍ଲାର ନାନପାରାରେ ମାଡ଼ି ବସିଥିଲା।
ଉତ୍ତର ପ୍ରଦେଶର ଏସ୍ଟିଏଫ ଓ ମୁମ୍ବାଇ କ୍ରାଇମବ୍ରାଞ୍ଚ ପହଞ୍ଚିବା ମାତ୍ର ଦୁଇଘଣ୍ଟା ବିଳମ୍ବ କରିଥିଲେ ସୁଟର ଶିବ କୁମାର ପୁଣି ଚମ୍ପଟ ମାରି ଦେଇଥାଆନ୍ତା ନେପାଳ।
ଶିବ କୁମାର ସ୍ନାପଚାଟ ଜରିଆରେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଯୋଗାଯୋଗ କରିଥିଲା। ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଅନମୋଲ ଶିବ କୁମାରକୁ ପ୍ରତିଶ୍ରୁତି ଦେଇଥିଲା।
ହତ୍ୟାକାଣ୍ଡ ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଶିବ କୁମାରକୁ ୯ଏମଏମ ବନ୍ଧୁକ ଦିଆଯାଇଥିଲା। ଏଥିରୁ କେମିତି ଗୁଳି କରାଯିବ, ତା’ର ତାଲିମ ମଧ୍ୟ ଶିବ କୁମାରକୁ ଦିଆଯାଇଥିଲା।