କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମରେ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଲେ ସୁଟର ବର୍ତ୍ତିକା ସିଂ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତିକା ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ସେ ଏଭଳି ଅଭିଯୋଗ ଉତ୍ତର ପ୍ରଦେଶର ‘ଏମପି- ଏମଏଲଏ କୋର୍ଟ’ରେ କରିଛନ୍ତି । ବର୍ତ୍ତିକାଙ୍କ ଓକିଲଙ୍କ କହିବା ମୁତାବକ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ୨୩ ନଭେମ୍ବର ଦିନ ଆମେଥି ଜିଲ୍ଲାର ମୁସାଫିରଖାନା ଥାନାରେ ବର୍ତ୍ତିକା ସିଂ ଓ କମଲ କିଶୋରଙ୍କ ନାମରେ ବିଜୟ କୁମାର ଗୁପ୍ତା ଏକ ମାମଲା ଦାୟର କରିଥିଲେ । ସେ ତାଙ୍କ ଅଭିଯୋଗରେ ଲେଖିଥିଲେ କି ଏକ ହସ୍ପିଟାଲ ନିର୍ମାଣକୁ ନେଇ ବିଜୟଙ୍କ ନାମରେ ବର୍ତ୍ତିକା କୁତ୍ସାରଟନା କରୁଛନ୍ତି । ଯାହାଦ୍ୱାରା ତାଙ୍କୁ ମାନସିକ ନିର୍ଯାତନା ମିଳୁଛି । ଏହା ସହ ବିଜୟ ଗୁପ୍ତା ଆହୁରି ଅଭିଯୋଗ କରିଛନ୍ତି କି ବର୍ତ୍ତିକା ସିଂ, କମଲ କିଶୋରଙ୍କ ସହ ଅନ୍ୟ କିଛି ଲୋକ ତାଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି । ଏଭଳି ଅଭିଯୋଗ ପରେ ମୁସାଫିରଖାନା ଥାନା ଅଧିକାରୀ ବର୍ତ୍ତିକା ସିଂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଧାରା ୫୦୯ରେ ମୋକଦ୍ଦମା ରୁଜୁ କରିଛନ୍ତି ।
ଅନ୍ୟପଟେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ରହୁଥିବା ଆର୍ନ୍ତରାଷ୍ଟ୍ରୀୟ ସୁଟର ବର୍ତ୍ତିକା ସିଂ ଅଭିଯୋଗ କରିଛନ୍ତି କି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମହିଳା କମିସନର ସଦସ୍ୟ କରାଇ ଦେବାକୁ ପ୍ରଥମେ ୧ କୋଟି ଟଙ୍କା ମାଗିଥିଲେ । ହେଲେ ସ୍ମୃତି ଇରାନୀ କହିଥିଲେ କି ବର୍ତ୍ତିକାଙ୍କର ସୁନାମ ଥିବାରୁ ତାଙ୍କୁ ଏହି ପଦ ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ହେବ । ହେଲେ ଏଥିରେ ବର୍ତ୍ତିକା ରାଜି ନ ହେବାରୁ ମନ୍ତ୍ରୀଙ୍କ ପାଖ ଲୋକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯେତେବେଳେ ବର୍ତ୍ତିକା ଏହାକୁ ବିରୋଧ କରିଥିଲେ ସେତେବେଳେ ବିଜୟ ଗୁପ୍ତା ତାଙ୍କ ନାମରେ ମୁସାଫିରଖାନା ଥାନାରେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ବର୍ତ୍ତିକାଙ୍କ ଓକିଲ ରୋହିତ ତ୍ରିପାଠୀ କହିଛନ୍ତି କି ଏମ.ପି- ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜଜ ପି.କେ ଜୟନ୍ତ ଏହି ମାମଲାର ଶୁଣାଣି କରିବାକୁ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।