ଭର୍ଜିନିଆ ୱାଲମାର୍ଟ ଷ୍ଟୋର୍‌ରେ ଗୁଳିକାଣ୍ଡ, ୧୦ ମୃତ

ଭର୍ଜିନିଆ: ଆମେରିକାର ଭର୍ଜିନିଆ ସ୍ଥିତ ୱାଲମାର୍ଟ ଷ୍ଟୋର୍‌ରେ ଜଣେ ଆକ୍ରମଣକାରୀର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଭର୍ଜିନିଆର ଚେସପିକ୍‌ ସ୍ଥିତ ସାମ୍ସ ସର୍କଲ୍‌ ନିକଟରେ ଥିବା ୱାଲମାର୍ଟ ଷ୍ଟୋରରେ ମଙ୍ଗଳବାର ରାତିରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ମଧ୍ୟ ପୁଲିସ ଗୁଳିରେ ନିହତ ହୋଇଛି। ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଭର୍ଜିନିଆ ଷ୍ଟେଟ୍‌ ସିନେଟର ଲୁଇସ ଲୁକାସ ଟ୍ବିଟ୍‌ କରି କହିଛନ୍ତି ଯେ, ୱାଲମାର୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୁଁ ଗଭୀର ଭାବେ ଦୁଃଖିତ। ଆମ ଦେଶରେ ବନ୍ଧୁକ ହିଂସା ଶେଷ କରିବାପାଇଁ କିଛି ସମାଧାନ ନ ବାହାରିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସି ପାରିବୁନି ବୋଲି ସେ କହିଛନ୍ତି।

ଗତରାତି ପ୍ରାୟ ୧୦ଟା (ସ୍ଥାନୀୟ ସମୟ)ରେ ଏହି ଗୁଳିକାଣ୍ଡ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଷ୍ଟୋର୍‌ ପଛପଟୁ ପ୍ରଥମେ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ଆଖି ପିଛୁଳାରେ ୬ ଜଣ ପ୍ରାଣ ହରାଇଥିଲେ। ଆଉ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଗୁଳିମାଡ଼ କରିଥିବା ବ୍ୟକ୍ତି ସଂକ୍ରାନ୍ତରେ ପୁଲିସ ବିଶେଷ କିଛି ସୂଚନା ଦେଇନି। ଗୁଳିକାଣ୍ଡ ପରେ ୱାଲମାର୍ଟ ଷ୍ଟୋର ନିକଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୱାଲମାର୍ଟ ହେଉଛି ଆମେରିକାର ସବୁଠୁ ବଡ଼ ରିଟେଲର। ଚଳିତ ମାସରେ ଆମେରିକାରେ ଏହା ଦ୍ବିତୀୟ ହାଇ ପ୍ରୋଫାଇଲ ଗଣହତ୍ୟା। ଶନିବାର କଲରାଡ଼ୋରେ ଏକ ନାଇଟକ୍ଲବ୍‌ରେ ଗୁଳିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ। ଚଳିତ ବର୍ଷ ଆରମ୍ଭରେ ଟେକ୍ସାସରେ ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଯେଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର