ପ୍ୟାରିସ : ଶୁକ୍ରବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ୬୯ ବର୍ଷୀୟ ବୃଦ୍ଧ ଏକ କୁର୍ଦ୍ଦ ସାଂସ୍କୃତିକ କେନ୍ଦ୍ର ଓ ଏକ ସେଲୁନରେ ଗୁଳିଚାଳନା କରିବା ଫଳରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନ ପୂର୍ବରୁ ଏହି ଗୁଳିକାଣ୍ଡ ଘଟିଥିବା ବେଳେ କୁର୍ଦ୍ଦ ଜନସଂଖ୍ୟାବହୁଳ ଡି’ଏନ୍‌ଘେନ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

Advertisment

ଆକ୍ରମଣକାରୀ ପ୍ରଥମେ କୁର୍ଦ୍ଦ ସାଂସ୍କୃତିକ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ପାଖରେ ଥିବା ସେଲୁନକୁ ଟାର୍ଗେଟ କରିଥିଲା। ସେ ଜଣେ ଫରାସୀ ନାଗରିକ ବୋଲି ଜଣାପଡ଼ିଛି ଏବଂ ପୁଲିସ ତାକୁ ଗିରଫ କରିଛି। ତା’ର ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ିନି। ଏହା ପୂର୍ବରୁ ୨୦୧୬ ଓ ୨୦୨୧ରେ ମଧ୍ୟ ସେ ହତ୍ୟା ଉଦ୍ୟମ କରିଥିଲା। ତା’ର ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ସେ ଜାତିଆଣ ଭାବ ଦ୍ବାରା ଅନୁପ୍ରାଣିତ ବୋଲି ଅନୁମାନ କରାଯାଉଛି।