ବ୍ରାଜିଲ : ସ୍କୁଲରେ ପଶି ଆଖିବୁଜା ଗୁଳିଚଳାଇଲା ଦୁର୍ବୃତ୍ତ, ୩ ମୃତ ୧୧ ଆହତ

ସାଓପୋଲୋ : ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସେମିଅଟୋମେଟିକ୍ ପିସ୍ତଲରେ ସଜ୍ଜିତ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ଜଣେ ବ୍ୟକ୍ତି ଶୁକ୍ରବାର ଦିନ ଦକ୍ଷିଣ-ପୂର୍ବ ବ୍ରାଜିଲର ଦୁଇଟି ବିଦ୍ୟାଳୟରେ ପଶି ୩ ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଗୁଳିକାଣ୍ଡ ହୋଇଥିବା ଉଭୟ ବିଦ୍ୟାଳୟ ଏସ୍ପିରିଟୋ ସାଣ୍ଟୋ ରାଜ୍ୟର ଆରାକ୍ରୁଜ ସହରରେ ଅବସ୍ଥିତ । ମୃତକଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ ହୋଇଥିବାବେଳେ ଜଣେ ଛାତ୍ର ରହିଛି । ଅଭିଯୁକ୍ତ ସୁଟର ଏହି ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି ।

 

ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ଏହି ଦୁଇଟି ସ୍କୁଲ ମଧ୍ୟରୁ ଗୋଟିକର ଛାତ୍ର ବୋଲି କୁହାଯାଉଥିଲେ ବି ପୁଲିସ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରିନାହିଁ ।

ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏକ ତାଲା ଭାଙ୍ଗି ଶିକ୍ଷକମାନେ ବସୁଥିବା ଲାଉଞ୍ଜରେ ପ୍ରବେଶ କରି ଗୁଳି ଚଳାଇଥିଲା । ଏହି କାରଣରୁ ମୃତାହତ ହୋଇଥିବା ଅଧିକାଂଶ ଲୋକ ଶିକ୍ଷକ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି ।

ଆମେରିକାରେ ସ୍କୁଲ ଗୁଳିକାଣ୍ଡ ନିୟମିତ ବ୍ୟବଧାନରେ ଘଟୁଥିବାବେଳେ ବ୍ରାଜିଲରେ କିନ୍ତୁ ଏପରି ଘଟଣା କ୍ବଚିତ ଦେଖିବାକୁ ମିଳିଥାଏ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର