ସୋପିଆନ୍‌ରେ ଏନକାଉଣ୍ଟର: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ୍‌ କମାଣ୍ଡର ସଜାଦ ଆଫଗାନୀ ସମେତ ୨ ଆତଙ୍କବାଦୀ ନିପାତ

ଜାମ୍ମୁ: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଆଜି (ସୋମବାର) ଆତଙ୍କବାଦୀମାନଙ୍କ ସହ ସୁରକ୍ଷା ବାହିନୀର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଉପଲବ୍ଧ ସବିଶେଷ ତଥ୍ୟ ଅନୁଯାୟୀ ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ତଥା ଜୈସ୍‌ କମାଣ୍ଡର ସଜାଦ ଆଫଗାନୀ ସମେତ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟଛି। ମୃତ ଆତଙ୍କବାଦୀମାନଙ୍କ ଠାରୁ ଏକେ-୪୭ ସମେତ ବିଦେଶରେ ନିର୍ମିତ ବହୁ ମାରଣାସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଜାଦ ଆଫଗାନୀ ଜୈସ୍‌-ଏ-ମହମ୍ମଦ (ଜେଇଏମ)ର ଜଣେ କମାଣ୍ଡର ଥିଲା। ଆତଙ୍କବାଦୀ ଭାବେ ସେ ନୂତନ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲା।

ଏହି ଏନକାଉଣ୍ଟରରେ ଜୈସ୍‌ କମାଣ୍ଡର ସଜାଦ ଆଫଗାନୀର ମୃତ୍ୟୁ ଘଟିଥିବାରୁ ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ସୋପିଆନ ପୁଲିସ ଏବଂ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମେ ଏହି ଏନକାଉଣ୍ଟରରେ ସୋପିଆନ୍‌ର ରାଖ ନାରାପୋରା ନିବାସୀ ସ୍ୱର୍ଗତ ଅବଦୁଲ ରେହମାନ ୱାନିଙ୍କ ପୁଅ ଜାହାଙ୍ଗୀର ଅହମ୍ମଦ ୱାନି ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ପୁଲିସ୍‌ ସୂଚନା ଦେଇଛି ଯେ ଜାହାଙ୍ଗୀର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲା।

ଏହି ଏନ୍‌କାଉଣ୍ଟର ପରେ ସୋପିଆନ୍‌ ଜିଲ୍ଲାର ରାୱଲପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଅନ୍ୟଏକ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା। ଏଥିରେ କୁଖ୍ୟାତ ଆତଙ୍କବାଦୀ ତଥା ଜୈସ୍‌ କମାଣ୍ଡର ସଜାଦ ଆଫଗାନୀର ମୃତ୍ୟୁ ଘଟିଛି। ଏବେବି ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର