ନୂଆଦିଲ୍ଲୀ: ଜିଏସଟି ୨.୦  ଲାଗୁ ହେବା ସତ୍ତ୍ୱେ, ନୁଡୁଲ୍ସ, ପାସ୍ତା, ଟଫି ଏବଂ କ୍ୟାଣ୍ଡି ଭଳି ଜିନିଷ ଶସ୍ତା ହୋଇନାହିଁ। ଦୋକାନୀମାନେ ପୁରୁଣା ଷ୍ଟକ୍ ଥିବା ଦର୍ଶାଇ ଅଧିକ ମୂଲ୍ୟ ଆଦାୟ କରୁଛନ୍ତି। ଏହା ଦ୍ବାରା ସାଧାରଣ ଲୋକେ ସମସ୍ୟାରେ ପଡ଼ିଛନ୍ତି। 

Advertisment


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୧ ତାରିଖରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ଏନେଇ ଘୋଷଣା କରିଥିଲେ। କିନ୍ତୁ, ନୁଡୁଲ୍ସ, ପାସ୍ତା, ଟଫି, କ୍ୟାଣ୍ଡି, ସାବୁନ, ସାମ୍ପୁ, କେଶ ତେଲ, ବିସ୍କୁଟ, ଖାଦ୍ୟ ସାମଗ୍ରୀ ଏବଂ ଔଷଧ ସମେତ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଶସ୍ତା ହୋଇ ନଥିବାରୁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ସମସ୍ତ ଜିନିଷ ପୁରୁଣା ଦରରେ ବିକ୍ରି ହେଉଥିବା ଦେଖି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। 

ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ସେପ୍ଟେମ୍ବର ୨୨ ତାରିଖରୁ ସବୁକିଛି ଶସ୍ତା ହେବ, କିନ୍ତୁ ଛୋଟ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ସମାନ ମୂଲ୍ୟରେ ବିକ୍ରି କରୁଛନ୍ତି। ବିକ୍ରେତାଙ୍କ ମତରେ, ପୁରୁଣା ଷ୍ଟକ୍ ଉପରେ ଜିଏସଟି ଲାଭ ଆମେ କିପରି ପ୍ରଦାନ କରିପାରିବୁ? ଏହା ଆମର କ୍ଷତି କରିବ। ଶସ୍ତା ଜିନିଷ ପାଇଁ ଲୋକଙ୍କୁ ଆହୁରି ୮ ରୁ ୧୦ ଦିନ ଅପେକ୍ଷା କରିବାକୁ ପଡ଼ିପାରେ।


ସରକାର ପାସ୍ତା, ନୁଡୁଲ୍ସ, ଚିନି, ସିରପ, ଟଫି ଏବଂ କ୍ୟାଣ୍ଡି ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରିଛନ୍ତି, କିନ୍ତୁ ବିଭିନ୍ନ କ୍ଷେତ୍ରର ଦୋକାନୀମାନେ ୧୨% ଜିଏସଟି ସହିତ ଏହି ଜିନିଷଗୁଡ଼ିକୁ ବିକ୍ରୟ କରୁଛନ୍ତି। 

ଏହା ସହିତ, ଘିଅ ଏବଂ ବଟର ଉପରେ ୫% ଜିଏସଟି ଲାଗୁ କରାଯାଇଥିଲା, କିନ୍ତୁ ସେଗୁଡ଼ିକ ଏବେ ବି ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସାମଗ୍ରିକ ଭାବରେ, ଦୋକାନୀମାନେ ରିହାତି ଦେବାକୁ ମନା କରୁଛନ୍ତି। ଯଦିଓ ସରକାର ସେମାନଙ୍କୁ ସେପ୍ଟେମ୍ବର ୨୨ ତାରିଖରୁ ଜିଏସଟି ହ୍ରାସର ଲାଭ ଗ୍ରାହକମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ, ଏହି ନିର୍ଦ୍ଦେଶ ଦୋକାନୀମାନଙ୍କ ଉପରେ କୌଣସି ଫରକ ପକାଉ ନଥିବା ପରି ମନେ ହେଉଛି।


ସେହିପରି  ସେପ୍ଟେମ୍ବର ୨୨ ତାରିଖରୁ ଔଷଧ ମୂଲ୍ୟର ବୋଝରୁ ଲୋକଙ୍କୁ କିଛି ଆଶ୍ୱସ୍ତି ମିଳିବା କଥା ଥିଲା, କିନ୍ତୁ ଔଷଧ ଦୋକାନୀମାନେ ଏବେ ବି ପୁରୁଣା ହାରରେ ଔଷଧ ପ୍ରଦାନ କରୁଛନ୍ତି। ମହଙ୍ଗା ଔଷଧ ଯୋଗୁ ସାଧାରଣ ଲୋକଙ୍କ ବଜେଟ୍ ଉପରେ ପଡୁଥିବା ଚାପକୁ ବିଚାର କରି ସରକାର ଆଶ୍ୱସ୍ତି ପ୍ରଦାନ କରିଥିଲେ, କିନ୍ତୁ ସ୍ଥାନୀୟ ଦୋକାନୀମାନେ ଏହାର ଲାଭ ଦେବାକୁ ରାଜି ନୁହନ୍ତି।

ପୁରୁଣା ଷ୍ଟକ୍ ବାହାନା ଦେଖାଇ ଔଷଧଗୁଡ଼ିକ ବର୍ତ୍ତମାନ ପୂର୍ବ ପରି ସମାନ ମୂଲ୍ୟରେ ବିକ୍ରି ହେଉଛି। ଯଦି ନୂତନ ଷ୍ଟକ୍ ଅଣାଯିବା ପରେ ମଧ୍ୟ ଦୋକାନୀମାନେ ପୁରୁଣା ଷ୍ଟକ୍ ଦାବି କରି ରୋଗୀମାନଙ୍କୁ ଶୋଷଣ କରି ଚାଲିବେ ତେବେ ଜିଏସଟି ହ୍ରାସ କାର୍ଯ୍ୟକାରୀ କରିବାର ଲାଭ କାହାକୁ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଏହାକୁ ଦୃଷ୍ଟିରେ ରଖି, ସ୍ଥାନୀୟ ପ୍ରଶାସନକୁ ଜିଏସଟି ହ୍ରାସରୁ ପ୍ରକୃତରେ ଲୋକମାନେ ଲାଭ ପାଉଛନ୍ତି କି ନାହିଁ ତାହା ଉପରେ ନଜର ରଖିବାକୁ ସାଧାରଣରେ ହେଉଛି। ପ୍ରଶାସନ  ଧ୍ୟାନ ନଦେଲେ ସାଧାରଣ ନାଗରିକ ପୂର୍ବ ପରି ଶୋଷଣର ଶିକାର ହେବେ।


ସରକାର ସେପ୍ଟେମ୍ବର ୩ ତାରିଖରେ ଜିଏସଟି ସଂସ୍କାର ଘୋଷଣା କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଏତେ ପୂର୍ବରୁ  ଘୋଷଣା ସତ୍ତ୍ୱେ, ଦୋକାନୀମାନଙ୍କର ଷ୍ଟକ୍ ଏପର୍ଯ୍ୟନ୍ତ ଶେଷ କାହିଁକି ହୋଇନାହିଁ? ଦୋକାନୀମାନେ ଜିଏସଟି ଛାଡ୍ ଗ୍ରାହକଙ୍କୁ ଦେବାକୁ ଚାହୁଁନାହାନ୍ତି କି?

ସରକାର କହିଛନ୍ତି ଯେ, ଯଦି କୌଣସି ଦୋକାନୀ ଗ୍ରାହକଙ୍କୁ ଜିଏସଟି ଛାଡ୍‌ର ଲାଭ ନଦିଅନ୍ତି, ତେବେ ତାଙ୍କୁ ଜରିମାନା ଏବଂ ଦଣ୍ଡିତ କରାଯାଇପାରିବ, କିନ୍ତୁ ଏହା ଦୋକାନୀମାନଙ୍କ ଉପରେ କେତେ ପ୍ରଭାବ ପକାଉଛୁ ସେନେଇ ସାଧାରରେ ସନ୍ଦେହ ସୃଷ୍ଟି ହୋଇଛି।