ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପାନ ମସାଲା ଏବଂ ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି ହେବ। ଏଥିପାଇଁ ଖାଦ୍ୟ ସୁରକ୍ଷା କମିଶନର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତିରେ ସୂଚିତ ଅଛି କି ଜୁନ ୧ ତାରିଖ ଠାରୁ ପାନ ମସାଲା ଓ ତମାଖୁକୁ ଦୋକାନୀ ଏକାସାଙ୍ଗରେ ବିକ୍ରି କରି ପାରିବେ ନାହିଁ। ଏହି ନିୟମକୁ ଯିଏ ଭଙ୍ଗ କରିବେ ଉକ୍ତ ଦୋକାନୀଙ୍କ ବିରୋଧୀରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା କମିଶନର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ସଂପୃକ୍ତ ଅଧିକାରୀଙ୍କୁ ଏକ ଚିଠି ପଠାଇଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୦୬ରେ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ଅନୁଯାୟୀ ୨୦୧୧ରେ କରାଯାଇଥିବା ନିୟମ ଅନୁଯାୟୀ, ରାଜ୍ୟରେ ତମାଖୁ ମୁକ୍ତ ପାନ ମସାଲା, ଏହାର ଉତ୍ପାଦନ, ପ୍ୟାକିଂ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଉପରେ ନିଷେଧାଦେଶ ରହିଛି, କିନ୍ତୁ ଏହା ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଉ ନାହିଁ।

ସୁପ୍ରିମକୋର୍ଟ ମଧ୍ୟ ଏହାକୁ ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଜୁନ୍ ୧ ତାରିଖ ଠାରୁ ଦୋକାନୀମାନେ ପାନ ମସାଲା ଏବଂ ତମାଖୁ ପାଉଚ୍ ଏକାଠି ବିକ୍ରି କରିପାରିବେ ନାହିଁ  ବୋଲି କଡ଼ାକଡ଼ି ନିୟମ କରିଛି। ଏହି ନିୟମ ଲାଗୁ ହେବାପରେ ସମୟସମୟରେ ଖାଦ୍ୟ ନିରାପତ୍ତା ଅଧିକାରୀ ଦୋକାନ ଉପରେ ଆକସ୍ମିକ ଚଢ଼ାଉ କରିବେ। ଚଢ଼ାଉ ସମୟରେ ଯେଉଁ ଦୋକାନୀ ନିୟମ ମାନି ନଥିବେ ସେମା‌ନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବର୍ତ୍ତମାନ ରାଜ୍ୟର ସମସ୍ତ ସହରର ଗଳିଗଳିରେ ଥିବା ଦୋକାନରେ ପାନ ମସାଲା ଏବଂ ତମାଖୁ ପାଉଚ ବିକ୍ରି ହେଉଛି। ଏହି ନିଷେଧ ପାନ ମସାଲା ଏବଂ ତମାଖୁର ବ୍ୟବହାରକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା। ‌ତେଣୁ ଉତ୍ତରପ୍ରଦେଶ ସରକାର ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।

ଏଥିସହିତ ତମାଖୁ ଉତ୍ପାଦ ଏବଂ ଧୂମପାନ ଯୋଗୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ତମାଖୁ ଛାଡ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମଇ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି।