ଉଦ୍ଦାମସିଂହନଗର: ଅଙ୍କଲ ଡାକିଦେବାରୁ ଜଣେ ଛାତ୍ରୀଙ୍କୁ ମାଡ ମାରି ଲହୁଲୁହାଣ କଲେ ଦୋକାନୀ | ଦୋକାନୀଙ୍କ ମାଡ଼ରେ ଛାତ୍ରୀ ଜଣକ ଏଭଳି ଗୁରୁତର ଆହତ ହୋଇଛନ୍ତି ଯେ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି | ଉତ୍ତରାଖଣ୍ଡର ଉଦ୍ଦାମସିଂହନଗରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଉଦ୍ଦାମସିଂହନଗରର ସୀତାରଗଞ୍ଜ ରେ ଜଣେ ବ୍ୟକ୍ତି ଏକ କ୍ରୀଡା ସାମଗ୍ରୀ ଦୋକାନ କରିଛନ୍ତି | ତେବେ ଦୁଇ ଦିନ ତଳେ ଜଣେ ୧୮ ବର୍ଷୀୟ ଛାତ୍ରୀ ତାଙ୍କ ଦୋକାନରୁ ଏକ ବ୍ୟାଡମିଣ୍ଟନ ରାକେଟ କିଣିକି ନେଇଥିଲେ |
ଏହି ରାକେଟଟି ଭାଙ୍ଗିଯାଇଥିବାରୁ ସେ ଏହାକୁ ବଦଳାଇ ନୂଆ ଦେବାକୁ କହିଥିଲେ | ତେବେ ଛାତ୍ରୀଜଣକ ୩୫ ବର୍ଷୀୟ ଦୋକାନୀଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଥିବାରୁ ସେ ରାଗିଯାଇଥିଲେ | ସେ ଏତେ ମାତ୍ରାରେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ | ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଝିଅଟିକୁ ଆକ୍ରମଣ କରାଯାଇଥିବାବେଳେ ଆଘାତ ଲାଗିଛି |
ସେ ଭଲରେ ନିଶ୍ୱାସ ନେଇପାରୁନଥିବାରୁ ଏବେ ଆଇସିୟୁରେ ରଖାଯାଇଛି | ଅଧିକ ଚିକିତ୍ସା ପାଇଁ ବଡ ମେଡିକାଲକୁ ପଠାଯାଇପାରେ | ଏହି ଘଟଣା ପରେ ଛାତ୍ରୀଙ୍କ ପରିବାର ସଦସ୍ୟ ଦୋକାନୀଙ୍କ ନାମରେ ଅଭିଯୋଗ କରିବା ପରେ ଏବେ ପୁଲିସ ତାଙ୍କୁ ଅଟକ ରଖିଛି |