ନିରାପତ୍ତା କର୍ମଚାରୀ ଏବଂ ଓକିଲଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଦିଲ୍ଲୀ ରୋହିଣୀ କୋର୍ଟ ବାହାରେ ଗୁଳିକାଣ୍ଡ; ୨ ଓକିଲ ଆହତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରୋହିଣୀ କୋର୍ଟ ବାହାରେ କେତେକ ଓକିଲ ଓ ଜଣେ ନିରାପତ୍ତା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବା ଯୋଗୁଁ ଗୁଳିକାଣ୍ଡ ଘଟିବାରୁ ୨ଜଣ ଓକିଲ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଅଦାଲତ ବାହାରେ ଜଣେ ନିରାପତ୍ତା କର୍ମଚାରୀ ଓ ଜଣେ ଓକିଲଙ୍କ ମଧ୍ୟରେ ଯୁକ୍ତି ହେବା ପରେ ଗୁଳିକାଣ୍ଡ ଘଟିଥିଲା। ଗୋଳମାଳିଆ ପରିସ୍ଥିତି ଉପୁଜିବା ଦେଖି  ଅଦାଲତ ପରିସରରେ ମୁତୟନ ହୋଇଥିବା ଜଣେ ପୁଲିସ ଗୁଳି ଚଳାଇଥିଲା। କିନ୍ତୁ, ଗୁଳିଟି ତଳେ ଥିବା କଂକ୍ରିଟ୍‌ରେ ମାଡ଼ ଖାଇଥିଲା। ଗୁଳିକାଣ୍ଡରେ ଆହତ ହୋଇଥିବା ଦୁଇଜଣ ଓକିଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Image Courtesy of India Today

ଅନ୍ୟ ଏକ ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୯.୪୦ ବେଳେ ୨ଜଣ ଓକିଲ ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମାଡ଼ଗୋଳ ଆରମ୍ଭ ହୋଇଥିଲା। ସେଠାରେ ମୁତୟନ ହୋଇଥିବା ଜଣେ ‘ଏନ୍‌ଏପି’ କନେଷ୍ଟବଳ ମାଡ଼ଗୋଳ ବନ୍ଦ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତ‌େଳେ ଥିବା କଂକ୍ରିଟ୍‌ ଭାଙ୍ଗି ଛିଟିକିବାରୁ ୨ଜଣ ଓକିଲ ଆହତ ହୋଇଛନ୍ତି।

କେଉଁ ପରିସ୍ଥିତିରେ ଗୁଳି ଫୁଟାଇବାକୁ ପଡ଼ିଲା ଜାଣିବା ଲାଗି ପୁଲିସ ଘଟଣାର ତଦନ୍ତ କରୁଛି। ଭୁଲ୍‌କ୍ରମେ ଗୁଳି ଫୁଟିଯାଇଥାଇ ପାରେ ମଧ୍ୟ ପୁଲିସ ଅନୁମାନ କରୁଛି। ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର