ବାଲାକୋଟ୍‌ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଉଡ଼େଇ ଦେଇଥିଲେ ଅପପ୍ରଚାରର ସୁଯୋଗ ନଥାନ୍ତା : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ ସଂପର୍କରେ ଏକ ରୋଚକ କଥା କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧାନୋଆ । ସେ କହିଛନ୍ତି ଯେ ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ, ପାକିସ୍ତାନ ପକ୍ଷରୁ କରାଯାଉଥିବା ମିଥ୍ୟା ଅପପ୍ରଚାର ପାଇଁ ସୁଯୋଗ ନଥାନ୍ତା ।

ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବାଲାକୋଟ ଏୟାରଷ୍ଟ୍ରାଇକ ବେଳେ ଆକାଶ ମେଘାଚ୍ଛନ୍ନ ଥିବାରୁ ସାଟେଲାଇଟରୁ ହାଇରିଜୋଲ୍ୟୁସନ ଫଟୋ ଉଠାଇବା ସମ୍ଭବ ହୋଇପାରିନଥିଲା । ତେବେ ଏକ ବିଦେଶୀ ରାଷ୍ଟ୍ରର ସାଟେଲାଇଟ ଉଠାଇଥିବା ଫଟୋରେ ଉକ୍ତ କୋଠାରେ ୩ଟି ଛିଦ୍ର ହୋଇଥିବା ଜଣାପଡିଥିଲା ।

ସେ କହିଛନ୍ତି ଯେ ଏହି ଅପରେସନ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ କେବଳ କୋଠାରେ ଥିବା ଆତଙ୍କବାଦୀମାନଙ୍କୁ ମାରିଦିଆଯିବ କୋଠାକୁ ଧ୍ୱଂସ କରିବା ଲାଗି ନିଷ୍ପତ୍ତି ହୋଇନଥିଲା । କିନ୍ତୁ ସମଗ୍ର କୋଠାକୁ ଧ୍ୱଂସ କରିଦେଇଥିଲେ ଆଉ ବିତର୍କର ଅବକାଶ ନଥାନ୍ତା ବୋଲି ସେ କହିଛନ୍ତି ।
ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ କ୍ୟାମ୍ପ ଉପରେ ଇସ୍ରାଇଲ ନିର୍ମିତ ସ୍ପାଇସ-୨୦୦୦ ବୋମା ପକାଇ ସେଥିରେ ଥିବା ଆତଙ୍କବାଦୀଙ୍କୁ ମାରିଦେଇଥିଲା ।

ସମ୍ବନ୍ଧିତ ଖବର