ପ୍ୟାରିସ: ସିରିୟଲ କିଲର ଚାର୍ଲସ ଶୋଭରାଜକୁ କାଠମାଣ୍ଡୁ କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇ ଫ୍ରାନ୍ସ ପଠାଇ ଦିଆଯାଇଛି। ନେପାଳରେ ୧୯ ବର୍ଷର ଜେଲଦଣ୍ଡ ଭୋଗିବା ପରେ ନିଜ ଦେଶକୁ ଫେରିଥିବା ଶୋଭରାଜ ପ୍ୟାରିସରେ ପହଞ୍ଚିବା ପରେ ଅନେକ ବାହାଦୁରି ମାରିଛି। ତା ପ୍ରତି ଅନ୍ୟାୟ ହୋଇଛି ଏବଂ ଅନ୍ୟାୟ କରିଥିବା ବ୍ୟକ୍ତିମାନଙ୍କୁ ସେ କାଠଗଡ଼ାକୁ ଟାଣିବ ବୋଲି କହିଛି।
ପ୍ୟାରିସରେ ପ୍ରଥମ ଦିନର ଅନୁଭତି କିପରି ଥିଲା?
ଗତ ୪୮ ଘଣ୍ଟା ଭିତରେ ମୁଁ ମାତ୍ର ୨ ଘଣ୍ଟା ଶୋଇଛି। ମୁଁ ଗୋଟିଏ ନୂଆ ଫୋନ୍ ଓ ସିମ୍ ଆଣିବାରେ ବ୍ୟସ୍ତ ଥିଲି। ତା’ପରେ ମୁଁ ମୋ ପ୍ରକାଶକଙ୍କ ସହ ମୋର ପ୍ରକାଶ ପାଇବାକୁ ଯାଉଥିବା ଆତ୍ମଜୀବନୀର ଶିରୋନାମା ବିଷୟରେ କଥା ହେଲି।
ବିମାନଯାତ୍ରା ବେଳେ ମନକୁ କି ଭାବନା ଆନ୍ଦୋଳିତ କରୁଥିଲା?
ମୁଁ ଜୀବନ ନେଇ ସେ ଜାଗାରୁ ଫେରିଛି, ସେତିକିରେ ମୋ ଆନନ୍ଦ କହିଲେ ନ ସରେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମନରେ ସନ୍ଦେହ ଥିଲା। ମୁଁ ବିମାନରେ ଚଢ଼ିବା ଆଶ୍ବସ୍ତି ଅନୁଭବ କଲି। ମୁଁ ନେପାଳୀ ଜେଲ ଭିତରେ ଥିବା ବେଳେ ମୋ ଜୀବନ ନେବାକୁ ତିନିଥର ଉଦ୍ୟମ ହୋଇଥିଲା। ନେପାଳ ମାମଲାରେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଆମେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଯାଉଛୁ। ସିରିଜ ଅପରାଧରେ ମୋତେ ଫସାଇଥିବା ନେପାଳ ସରକାର, ବିବିସି, ନେଟଫ୍ଲିକ୍ସ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିବା କଥା ମୁଁ ବିମାନରେ ବସିବା ବେଳେ ଭାବୁଥିଲି। ମୁଁ ଚୁପ୍ ହୋଇ ବସିବିନି। ଯେଉଁମାନେ ମୋ ସହ ଲାଗିଛନ୍ତି, କାହାକୁ ଛାଡ଼ିବିନି।
ଜୀବନର ମୁଖ୍ୟଭାଗ ଜେଲରେ କଟିଲା। ଏଥିରୁ କ’ଣ ଶିକ୍ଷା କଲେ?
ଏହା ଏକ ଦାର୍ଶନିକ ପ୍ରଶ୍ନ। ମୋର ଦର୍ଶନ ହେଉଛି ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମଣିଷ କିଛି ନା କିଛି ଶିକ୍ଷା କରେ। ମୁଁ ମାଣ୍ଡାରିନ ଓ କୋରିଆନ ଭାଷା ଶିଖୁଥିଲି। କାରଣ ମୁଁ ଚୀନ୍ ସଭ୍ୟତାକୁ ଭଲ ପାଏ, ଯାହା ଏକ ପ୍ରାଚୀନ ସଭ୍ୟତା। ମୁଁ ମଧ୍ୟ ଭିଏତନାମରୁ ଆସିଛି, ଯାହାକୁ ଅତୀତରେ ଚୀନ୍ ନିଜର ଉପନିବେଶ ବନାଇଥିଲା। ତେଣୁ ଚୀନ୍ ଭାଷା ପ୍ରତି ମୋର ସ୍ବାଭାବିକ ଆଗ୍ରହ ରହିଛି। କୋରିଆ ତ ଯୁଦ୍ଧ (୧୯୫୦-୧୯୫୩) ପରେ ପୂରା ଧ୍ବଂସ ପାଇଯାଇଥିଲା। ବର୍ତ୍ତମାନ ଏହା (ଦକ୍ଷିଣ କୋରିଆ) ବିଶ୍ବର ଏକାଦଶ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏଣୁ କୋରିଆ ପ୍ରତି ମୋ ମନରେ ଶ୍ରଦ୍ଧାଭାବ ଥିବାରୁ ମୁଁ ତା’ର ଭାଷା ଶିଖିବାକୁ ଆଗ୍ରହୀ ହୋଇଥିଲି।
ଆପଣ ନିଜର ଅତୀତକୁ କେମିତି ଦେଖୁଛନ୍ତି?
ପୁଣି ଏକ ତାତ୍ତ୍ବିକ ପ୍ରଶ୍ନ। ଆପଣ ଯଦି ଆପଣଙ୍କ ପଛ ଜୀବନକୁ ଚାହିଁବେ ତେବେ ଆପଣ ଆଗକୁ ଯାଇପାରିବେ ନାହିଁ। ଅତୀତକୁ ଭୁଲି ନ ପାରିଲେ ବି ଆପଣଙ୍କୁ ଲଢ଼ିବାକୁ ପଡ଼ିବ ଓ ଆଗକୁ ବଢ଼ିବାକୁ ପଡ଼ିବ। ଆପଣ ଅତୀତକୁ ମନ୍ଥି କିଛି ପାଇବେ ନାହିଁ। ଉଦାହରଣସ୍ବରୂପ, ଯେଉଁମାନେ ମୋ ପ୍ରତି ଅନ୍ୟାୟ କରିଛନ୍ତି ସେ ସମସ୍ତଙ୍କୁ ମୁଁ ଆଇନର କାଠଗଡ଼ାକୁ ଟାଣିବାକୁ ଚାହୁଛି।