ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମ‌ରେ ସାକେତ କୋର୍ଟରେ ହାଜର କରାଯାଇଛି। ପୁଲିସ ହାଜତରେ ଥିବା ଅଫତାବର ହାଜତ ମିଆଦକୁ କୋର୍ଟ ଆଜି ଆଉ ୫ ଦିନ ବୃଦ୍ଧି କରିଛନ୍ତି ଏବଂ ନାର୍କୋ ଟେଷ୍ଟ୍‌ ପାଇଁ ଅନୁମତି ଦେଇଛନ୍ତି। ତଦନ୍ତ ପାଇଁ ପୁଲିସ ଅଫତାବକୁ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶ ନେବ ବୋଲି କୋର୍ଟରେ କହିଛି। ଅନ୍ୟପକ୍ଷେ ସାକେତ କୋର୍ଟରେ ଆଜି ଓକିଲମାନେ ଅଫତାବକୁ ମୃତ୍ୟୁଦଣ୍ଡ ଦାବି କରି ଆନ୍ଦୋଳନ କରିଛନ୍ତି। ମାମଲାରେ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନ ଚାଞ୍ଚଲ୍ୟକାରୀ ତଥ୍ୟ ସାମ୍ନାକୁ ଆସୁଛି। ଶ୍ରଦ୍ଧାଙ୍କ ପ୍ରତି ଅଫତାବର ବର୍ବରତା ଅତି ଭୟଙ୍କର ଥିଲା।

Advertisment

ସେ ଶ୍ରଦ୍ଧାଙ୍କୁ କେବଳ ହତ୍ୟା କରିନଥିଲା, ଶ୍ରଦ୍ଧାଙ୍କ ମୃତ୍ୟୁ ପରେ ବି ସେ ତାଙ୍କୁ ଛାଡ଼ି ନଥିଲା। ହତ୍ୟା କରିବାପରେ ଅଫତାବ ଶରୀରକୁ କାଟି ୩୫ ଖଣ୍ଡ କରିଥିଲା ଏବଂ ଏଥିସହ ତାଙ୍କ ପରିଚୟ ନଷ୍ଟ କରିବାପାଇଁ ମୁହଁକୁ ଜାଳି ଦେଇଥିଲା। ଅଫତାବ ପୁଲିସ ଆଗରେ ଏକଥା ସ୍ବୀକାର କରିଛି। ତଦନ୍ତ ସମୟରେ ଅଫତାବ ପୁଲିସକୁ କହିଛି ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ଶରୀରକୁ ୧୦ ଘଣ୍ଟା ପର୍ଯ୍ୟନ୍ତ କାଟିଥିଲା। ମଝିରେ ମଝିରେ ସେ ମଦ ପିଉଥିଲା ଏବଂ ସିଗାରେଟ ଟାଣୁଥିଲା। ଘଣ୍ଟା ଘଣ୍ଟା ଧରି ସେ ଶ୍ରଦ୍ଧାଙ୍କ କଟା ଶରୀରକୁ ଧୋଉଥିଲା। ଶ୍ରଦ୍ଧାଙ୍କ ଶରୀରକୁ ସମ୍ପୂର୍ଣ୍ଣ ଭାବେ କାଟିବାପରେ ସେ ଜମାଟୋରୁ ଖାଦ୍ୟ ଅର୍ଡର କରି ଖାଇଥିଲା ଏବଂ ନେଟ୍‌ଫ୍ଲିକ୍ସରେ ମୁଭି ଦେଖିଥିଲା।

ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ଅଫତାବ ଅନଲାଇନରେ ଭ୍ୟାକୁମ କ୍ଲିନର ମଗାଇଥିଲା। ପୁଲିସ ଶ୍ରଦ୍ଧା ଏବଂ ଅଫତାବ ରହୁଥିବା ଫ୍ଲାଟ୍‌ରେ ତଲାସୀ କରିବାପରେ ଏକ କାର୍ଡବୋର୍ଡ ଷ୍ଟୋରେଜ ବକ୍ସରୁ ଭାକ୍ୟୁମ୍‌ କ୍ଲିନର ଜବତ କରିଛି। ଅପରାଧ ସ୍ଥଳରୁ ରକ୍ତଦାଗ ଲିଭାଇବାପାଇଁ ଅଫତାବ ଭାକ୍ୟୁମ୍‌ କ୍ଲିନର ବ୍ୟବହାର କରିଛି ବୋଲି ଜଣାପଡ଼ୁଛି। ପୁଲିସକୁ ଏଯାବତ ୧୦ଟି କଟାଅଂଶ ମିଳିଛି। ପୁଲିସ ଏହାକୁ ଡିଏନ୍‌ଏ ଟେଷ୍ଟ୍‌ ପାଇଁ ପଠାଇଛି। ଅନ୍ୟପକ୍ଷେ ଶ୍ରଦ୍ଧାଙ୍କ ମୁଣ୍ଡ ମିଳୁନାହିଁ। ମିଳିଥିବା ସୂଚନାନୁଯାୟୀ ପୁଲିସକୁ ଆଜି ଶ୍ରଦ୍ଧାଙ୍କ ବ୍ୟାଗ୍‌ ମିଳିଛି। ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ଫ୍ଲାଟ୍‌ରେ ଶ୍ରଦ୍ଧାଙ୍କ ମର ଶରୀର ଥାଇ ବି ସେ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ଫ୍ଲାଟକୁ ଆଣିଥିଲା। ସେ ବିଭିନ୍ନ ସିମ୍‌ କାର୍ଡ ବ୍ୟବହାର କରି ଏକାଧିକ ମହିଳାଙ୍କ ସହ ସଂପର୍କରେ ରହୁଥିଲା। ଅନ୍ୟ କୌଣସି ମହିଳା ଅଫତାବ ଦ୍ବାରା ଷଡ଼ଯନ୍ତ୍ରର ଶିକାର ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଏହି ଦିଗରେ ତଦନ୍ତ ଜାରି ରଖିଛି।