ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ଆଜି ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଛି। ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଅଫତାବର ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ଅଧିକ କିଛି ସୂଚନା ପ୍ରଦାନ କରିନାହିଁ। ଅଫତାବର ନାର୍କୋ ଟେଷ୍ଟ୍ କେବେ ହେବ ସେନେଇ ଏକ ବିଶେଷଜ୍ଞ ଦଳ ନିଷ୍ପତ୍ତି ନେବେ। ଆଉ ଏକ ପର୍ଯ୍ୟାୟରେ ଅଫତାବର ପଲିଗ୍ରାଫ ଟେଷ୍ଟ୍ ହୋଇପାରେ। ତେବେ ଗତ କିଛିଦିନର ତଦନ୍ତ ମଧ୍ୟରେ ପୁଲିସ ୫ଟି ଧାରୁଆ ଅସ୍ତ୍ର ଜବତ କରିଛି। ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ଏହି ଧାରୁ୍ଆ ଅସ୍ତ୍ର ସାହାଯ୍ୟରେ କାଟିଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଧାରୁଆ ଅସ୍ତ୍ରଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ପୁଲିସ ଆଜି ସର୍ଚ୍ଚ୍ ଅପରେସନ୍ କରିଛି। ସେଠାରେ ଅଫ୍ତାବର ସନ୍ଦେହଜନକ ରହଣି ସଂପର୍କରେ ପୁଲିସକୁ କେତେକ ନୂଆ ତଥ୍ୟ ପୁଲିସ ତା’ର ବିଭିନ୍ନ ଠିକଣାରେ ପହଞ୍ଚିଛି।
ଆଉ ଏକ ପର୍ଯ୍ୟାୟରେ ପଲିଗ୍ରାଫ ଟେଷ୍ଟ୍ ହୋଇପାରେ
୫ ଧାରୁଆ ଅସ୍ତ୍ର ଜବତ
ଘୃଣ୍ୟ ଅପରାଧ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ଶାହ
ନୂଆଦିଲ୍ଲୀ: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ହତ୍ୟା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ଶ୍ରଦ୍ଧା ହତ୍ୟା ମାମଲାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ସରକାର କୋର୍ଟ ମାଧ୍ୟମରେ ଦୋଷୀକୁ ଉଚିତ ଦଣ୍ଡ ଦେବେ। ଶାହ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ଯେଉଁ ରାଜ୍ୟରେ ଆମେ କ୍ଷମତାରେ ଅଛୁ ଆମେ ସେଠାରେ ଧର୍ମାନ୍ତରଣ ବିରୋଧୀ ଆଇନ ଲାଗୁ କରିଛୁ ଏବଂ ଆଇନର ଠିକ୍ ଭାବେ ପାଳନ ହେଉଛି। ଶାହ କହିଛନ୍ତି- ‘ତୁମେ ତୁମ ଧର୍ମର ପ୍ରଚାର ପ୍ରସାର କରିପାର। କିନ୍ତୁ କାହାକୁ ଟଙ୍କାର ଲୋଭ ଦେଖାଇ କିମ୍ବା ଅନ୍ୟ କୌଣସି ଲାଳସା ଦେଖାଇ ଧର୍ମ ପରିବର୍ତ୍ତନ କରିପାରିବ ନାହିଁ।’