ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ଟିମ୍‌କୁ ଆଜି ଏକ କଟା ମୁଣ୍ଡ ମିଳିଛି। ଅଫତାବ ପୁନାୱାଲା ଗୁରୁଗ୍ରାମର ଯେଉଁ ଘରୋଇ ଆଇଟି କମ୍ପାନିରେ କାମ କରୁଥିଲା, ସେହି ଅଞ୍ଚଳରୁ ପୁଲିସ କଟାମୁଣ୍ଡ ପାଇଛି। ଏହି ମୁଣ୍ଡ ଶ୍ରଦ୍ଧାଙ୍କର ବୋଲି ସନ୍ଦେହ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଏହାକୁ ଫରେନ୍ସିକ ଟେଷ୍ଟ୍‌ ପାଇଁ ପଠାଯାଇଛି। ତଦନ୍ତକାରୀ ଅଧିକାରୀଙ୍କୁ ଅଫ୍‌ତାବ କହିଥିଲା ଯେ ଅଫିସ ଯିବା ବାଟରେ ସେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ଫୋପାଡ଼ି ଦେଇଥିଲା। ଅଫତାବର ବୟାନ ଆଧାରରେ ପୁଲିସ ତା’ ଅଫିସ ନିକଟରେ ତଲାସୀ କରିବା ବେଳେ କଟାମୁଣ୍ଡ ଥିବା ପ୍ୟାକେଟ୍‌ ମିଳିଥିଲା। ଅଫତାବର ଅଫିସ ନିକଟରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ତଲାସୀ ବେଳେ ଏହି ପ୍ୟାକେଟ୍‌ ସହିତ ମଣିଷ ଶରୀରର କିଛି କଟାଖଣ୍ଡ ମଧ୍ୟ ମିଳିଛି। ଅଫତାବ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପୁଣିଥରେ ତା’ ବୟାନ ବଦଳାଇଛି। ଅଫତାବ କହିଛି ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ମର ଶରୀରକୁ ୧୮ ଖଣ୍ଡ କରିଥିଲା। ତେବେ ପୂର୍ବରୁ ସେ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରିଥିବା କହିଥିଲା। ପୁଲିସ ମଧ୍ୟ ବିଭିନ୍ନ ଆପ୍‌ କମ୍ପାନିରୁ ବିସ୍ତୃତ ତଥ୍ୟ ମାଗିଛି। ଏହା ସହିତ ଅଫତାବର ସହକର୍ମୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।

Advertisment

ବ୍ୟାଗ୍‌ ଧରି ଚାଲୁଥିବାର ଭିଡିଓ ଫୁଟେଜ୍‌ ଜାରି, ମହାରାଷ୍ଟ୍ର‌ରେ ପୀଡ଼ିତାଙ୍କ ବନ୍ଧୁଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପୁଲିସ ତଦନ୍ତ ପରିସରକୁ ବୃଦ୍ଧି କରିଛି। ହତ୍ୟା ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ଟିମ୍‌ ୪ଟି ରାଜ୍ୟରେ ପହଞ୍ଚିଥିବା ବେଳେ ଆଜି ମହାରାଷ୍ଟ୍ରରେ ପୀଡ଼ିତା ଶ୍ରଦ୍ଧାଙ୍କ ଘନିଷ୍ଠ ବନ୍ଧୁ ଲକ୍ଷ୍ମଣ ନାଦାରଙ୍କର ବୟାନ ରେକର୍ଡ କରିଛି। ଦିଲ୍ଲୀ ପୁଲିସର ଏକ ଟିମ୍‌ ଶୁକ୍ରବାର ଦିନ ବସାଇରେ ପହଞ୍ଚିଥିଲେ। ସୂଚନାନୁଯାୟୀ, ୪-୫ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ଲକ୍ଷ୍ମଣଙ୍କୁ ଜେରା କରିଛି। ଶ୍ରଦ୍ଧା ଏବଂ ଅଫତାବ ଦିଲ୍ଲୀ ଯିବା ପୂର୍ବରୁ ବସାଇରେ ଯେଉଁ ଭଡ଼ା ଘରେ ରହୁଥିଲେ ସେହି ଭଡ଼ା ଘର ମାଲିକଙ୍କର ବୟାନ ମଧ୍ୟ ପୁଲିସ ରେକର୍ଡ କରିଛି। ମାଣିକପୁର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲୀ ପୁଲିସ ଟିମ୍‌କୁ ସବୁ ପ୍ରକାର ସହଯୋଗ କରାଯିବ। ଦିଲ୍ଲୀ ପୁଲିସ ମଧ୍ୟ ଶ୍ରଦ୍ଧାଙ୍କ ସହ ୨୦୧୯ରୁ ଯୋଗାଯୋଗରେ ଥିବା ତାଙ୍କର ସମସ୍ତ ବନ୍ଧୁଙ୍କର ବୟାନ ରେକର୍ଡ କରିବ। ଶ୍ରଦ୍ଧା କାମ କରୁଥିବା କଲ୍‌ ସେଣ୍ଟରର ମ୍ୟାନେଜରଙ୍କୁ ପୁଲିସ ଜେରା କରିବା ଆରମ୍ଭ କରିଛି। ଅନ୍ୟପକ୍ଷେ ମେହରଲି ଜଙ୍ଗଲରେ ଦିଲ୍ଲୀ ପୁଲିସକୁ ଆଉ ୩ଟି ହାଡ଼ ମିଳିଛି। ପୁଲିସ କହିଛି, ଜବତ ହୋଇଥିବା ହାଡ଼ରେ କଟା ଦାଗ ଅଛି। କୌଣସି ଏକ ବଡ଼ ଧାରୁଆ ଅସ୍ତ୍ର‌ରେ ଏହା କଟାଯାଇଥିବା ଜଣାପଡ଼ିଛି। ତେବେ ଏହା ଶ୍ରଦ୍ଧାଙ୍କ ଶରୀରର ହାଡ଼ କି ଅନ୍ୟ କାହାର ତାହା ଜଣାପଡ଼ିନି।

ଦକ୍ଷିଣ ଦିଲ୍ଲୀ ସ୍ଥିତ ଅଫତାବ ଫ୍ଲାଟ୍‌ରୁ ପୁଲିସ ଆଜି ଏକ ଧାରୁଆ ଅସ୍ତ୍ର ଜବତ କରିଛି। ଏହି ଅସ୍ତ୍ରରେ ଅଫତାବ ଶ୍ରଦ୍ଧାଙ୍କୁ ମାରିବାପରେ କାଟିଥିଲା ବୋଲି ସନ୍ଦେହ କରାଯାଉଛି। ଅଫତାବକୁ କଡ଼‌ା ଜେରା କରିବାପରେ ଅଫତାବ ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଛି। ଶ୍ରଦ୍ଧା ଏବଂ ଅଫତାବର ସମସ୍ତ ପୋଷାକକୁ ପୁଲିସ ଜବତ କରିଛି। ଏଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ। ଗତକାଲି ଅଫତାବର ଗୁରୁଗ୍ରାମ୍‌ ସ୍ଥିତ ଅଫିସରୁ ପୁଲିସ ଏକ ବଡ଼ କଳା ପଲିଥିନ ବ୍ୟାଗ୍‌ ଜବତ କରିଥିଲା। ଇତି ମଧ୍ୟରେ ହତ୍ୟାକାରୀ ଅଫତାବର ଏକ ସିସିଟିଭି ଫୁଟେଜ୍‌ ଜାରି ହୋଇଛି। ଏହି ଫୁଟେଜ୍‌ଟି ଗତ ମାସର। ଅଫତାବ ଭୋର ସମୟରେ ଏକ ବ୍ୟାଗ୍‌ ଧରି ତା’ ଘର ବାହାରେ ଚାଲୁଥିବାର ଏହି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ଶ୍ରଦ୍ଧାଙ୍କ ମର ଶରୀର ଧରି ଅଫତାବ ଯାଉଥିଲା ବୋଲି ସନ୍ଦେହ କରାଯାଉଛି। ପୁଲିସ ଏହି ଫୁଟେଜ୍‌କୁ ଯାଞ୍ଚ କରିବ। ଅକ୍ଟୋବର ୧୮ ତାରିଖରେ ଏହି ଭିଡିଓ ରେକର୍ଡ ହୋଇଥିଲା। ହତ୍ୟା‌ ମାମଲାରେ ଏହା ପ୍ରଥମ ସିସିଟିଭି ଫୁଟେଜ୍‌।