ଇନ୍ଦୋର: ଇନ୍ଦୋର ବାସିନ୍ଦା ଶ୍ରଦ୍ଧା ତିୱାରୀଙ୍କ କାହାଣୀ କୌଣସି ବଲିଉଡ୍ ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ପ୍ରେମିକ ପାଇଁ ଘରୁ ପଳାଇବାର ୭ଦିନ ପରେ ସେ କରଣଦୀପଙ୍କ ସହିତ ପ୍ରେମ ବିବାହ କରିଥିଲେ। ଏବେ ସେ ଇନ୍ଦୋର ଫେରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଶ୍ରଦ୍ଧା, କରଣଙ୍କ ପାଇଁ ନୁହେଁ ବରଂ ତାଙ୍କ ପ୍ରେମିକ ସାର୍ଥକଙ୍କ ପାଇଁ ଘରୁ ପଳାଇଆସିଥିଲେ। ହେଲେ ଅଧାବାଟରେ ସବୁ ବଦଳିଯାଇଥିଲା। ମନ ବଦଳିବା ସହ ପ୍ରେମିକ ମଧ୍ୟ ବଦଳିଯାଇଥିଲା। ଶେଷରେ ସାର୍ଥକଙ୍କ ପରିବର୍ତ୍ତେ ସେ କରଣଙ୍କୁ ବିବାହ କରିଥିଲେ।

Advertisment

ସୂଚନା ମୁତାବକ, ନୂଆ କାହାଣୀର ଆରମ୍ଭ ହୋଇଥିଲା ରେଳ ଷ୍ଟେସନରୁ। ଶ୍ରଦ୍ଧା ଯୋଜନା ଅନୁଯାୟୀ ରେଳ ଷ୍ଟେସନରେ ତାଙ୍କ ପ୍ରେମିକ ସାର୍ଥକ ଗେହଲଟଙ୍କ ସହ ଫେରାର ହେବା ପାଇଁ ପହଞ୍ଚିଥିଲେ। ନୂଆ ଜୀବନ ଆରମ୍ଭ କରିବାର ଆଶା ନେଇ ସେ ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କର ସବୁ ସ୍ବପ୍ନ ଭ‌ାଙ୍ଗିଯାଇଥିଲା। ସାର୍ଥକ କଥା ଦେଇ କଥା ରଖିନଥିବା ଜ‌ାଣିବାକୁ ପାଇଥିଲେ ଶ୍ରଦ୍ଧା। ପ୍ରେମିକ ରେଳ ଷ୍ଟେସନରେ ନପହଞ୍ଚିବାରୁ ଜୀବନ ହାରିବାକୁ ବାହାରିଥିଲେ ଶ୍ରଦ୍ଧା। ହେଲେ ଏତିକି ବେଳେ ତାଙ୍କ ଜୀବନରେ ନୂଆ ସକାଳ ହୋଇ ଆସିଥିଲେ କରଣଦୀପ। ଶ୍ରଦ୍ଧାଙ୍କୁ ବଞ୍ଚାଇବା ସହ ତାଙ୍କୁ ନିଜ ଜୀବନ ସହ ଯୋଡ଼ିଥିଲେ କରଣ।

ଶ୍ରଦ୍ଧାଙ୍କ କହିବା ମୁତାବକ, ଯୋଜନା ଅନୁଯାୟୀ ସେ ୨୩ ତାରିଖରେ ଇନ୍ଦୋର ରେଳ ଷ୍ଟେସନରେ ତାଙ୍କ ପ୍ରେମିକ ସାର୍ଥକ ଗେହଲଟଙ୍କ ସହ ଫେରାର ହେବା ପାଇଁ ପହଞ୍ଚିଥିଲେ। କିନ୍ତୁ ସାର୍ଥକ ଆସି ନଥିଲେ, ଯାହା ଫଳରେ ଶ୍ରଦ୍ଧା ରାଗିଯାଇ ରତଲାମ ଯିବା ପାଇଁ ଟ୍ରେନ୍‌ରେ ଚଢ଼ିଥିଲେ। ସେଠାରେ ସେ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କରଣଦୀପ ତାଙ୍କ ହାତ ଧରି ତାଙ୍କୁ ବଞ୍ଚାଇଥିଲେ। ହେଲେ ଶ୍ରଦ୍ଧା ହାତ ଛାଟିବାକୁ ଚେଷ୍ଟା କରିବାରୁ କରଣ କହିଥିଲେ, "ମୁଁ ତୁମକୁ ମରିବାକୁ ଦେବି ନାହିଁ।" ଏହା ଶୁଣି ଶ୍ରଦ୍ଧା କହିଥିଲେ, "ଯଦି ମୋତେ ମରିବାକୁ ଦେବ ନାହିଁ, ତେବେ ମୋ ସହ ବିବା‌ହ କରିବାକୁ ହେବ। କାରଣ ମୋ ପ୍ରେମିକ ମୋତେ ଧୋକା ଦେଇ ଚାଲିଯାଇଛି। ମୁଁ ଘରୁ ତାଙ୍କ ପାଇଁ ଚାଲିଆସିଥିଲି।" ଏହା ଶୁଣି କରଣ ତୁରନ୍ତ ବିବାହ ପାଇଁ ରାଜି ହୋଇଯାଇଥିଲେ। 

ଏହା ପରେ ଦୁହେଁ ଖରଗୋନ ଯାଇଥିଲେ ଏବଂ ତା’ପରେ ମହେଶ୍ୱରରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ। ତେବେ କରଣ ଶ୍ରଦ୍ଧାଙ୍କ ପାଇଁ ଅଚିହ୍ନା ନଥିଲେ। ଶ୍ରଦ୍ଧା ପଢ଼ୁଥିବା କଲେଜରେ କରଣ ଇଲେକ୍ଟ୍ରିସିଆନ୍ ଥିଲେ।