ନୂଆଦିଲ୍ଲୀ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପରେ ଏହା ପଛର କାରଣ ଖୋଜୁଛି ପୁଲିସ। ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ତୁନିଶାଙ୍କ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ପଚରାଉଚରା କରୁଛି ପୁଲିସ। ପଚରାଉଚରା ବେଳେ ଶିଜାନ ପୁଲିସକୁ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛି। ତୁନିଶାଙ୍କ ସହ ବ୍ରେକ୍ଅପ କରିବା ପଛର କାରଣ ପଚରାଯିବାରୁ ମୃତ ଶ୍ରଦ୍ଧା ୱାକରଙ୍କ ପାଇଁ ସେ ଏଭଳି କରିଥିଲେ ବୋଲି କହିଛନ୍ତି।
ଶିଜାନଙ୍କ କହିବା ମୁତାବକ, ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ପରେ ମୁଁ ଚିନ୍ତାରେ ଥିଲି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ହିନ୍ଦୁ-ମୁସଲିମ ଓ ଲଭ ଜିହାଦ କଥା ଉଠୁଥିବାରୁ ମୁଁ ତୁନିଶାଙ୍କ ସହ ବ୍ରେକ୍ଅପ କରିଥିଲି। ନିଜ ଧର୍ମ ପାଇଁ ମୁଁ ଏଭଳି କରିଥିଲି। ବର୍ତ୍ତମାନ ପୁଲିସ ହେପାଜତରେ ଥିବା ଶିଜାନ ଖାନ ୱାଲିଭ ପୁଲିସକୁ କହିଛି ଯେ ଶ୍ରଦ୍ଧା ୱାକରଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ମୁସଲିମ ଥିଲେ। ସେ ଯେତେବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ଖବର ସାମ୍ନାକୁ ଆସିଲା, ଲଭ ଜିହାଦକୁ ନେଇ ଅନେକ ଚର୍ଚ୍ଚା କରାଗଲା। ଏଥିପାଇଁ ମୁଁ ଚାପଗ୍ରସ୍ତ ହୋଇଥିଲି ଏବଂ ତୁନିଶା ଶର୍ମାଙ୍କ ସହ ବ୍ରେକଅପ୍ କରିବାକୁ ନିଷ୍ପତ୍ତି ନେଇଥିଲି। ବ୍ରେକ୍ଅପ କରିବା ପଛରେ ମୋ ଧର୍ମ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟ ଥିଲା ବୋଲି ସେ ପୁଲିସକୁ କହିଛନ୍ତି।
ଏହା ସହ ସେ କହିଛନ୍ତି, ଘଟଣାର କିଛି ଦିନ ପୂର୍ବରୁ ମଧ୍ୟ ତୁନିଶା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ମୁଁ ତାଙ୍କୁ ବଞ୍ଚାଇଥିଲି। କିନ୍ତୁ ଜଣାନଥିଲା ସେ ପୁଣି ଥରେ ଏଭଳି ପଦକ୍ଷେପ ନେବେ।