ନୂଆଦିଲ୍ଲୀ:ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସହିତ ଜଡ଼ିତ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ତିହାର ଜେଲ ପ୍ରଶାସନ ମୁମ୍ବାଇ ଝିଅ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ହତ୍ୟା କରିଥିବା ହତ୍ୟାକାରୀ ଅଫତାବ ପୁନାୱାଲାର ସୁରକ୍ଷାକୁ ନେଇ ଆଲର୍ଟ ହୋଇଯାଇଛନ୍ତି। କାରଣ ଅଫତାବ ପୁନାୱାଲାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟ କରିଥିବା ଖବର ମିଳିଛି।
ତିହାର ଜେଲ ସୂତରୁ ପ୍ରକାଶ, ମୁମ୍ବାଇ ପୁଲିସକୁ କୌଣସି ଅଧିକାରିକ ଭାବେ ସୂଚନା ମିଳିନାହିଁ। କିନ୍ତୁ ପ୍ରଶାସନ ଗଣମାଧ୍ୟମରେ ଆସିଥିବା ଖବରକୁ ଧ୍ୟାନରେ ରଖି ସଚେତନ ହୋଇଯାଇଛି। ମୁମ୍ବାଇ ପୁଲିସ ମୁତାବକ ଅଫତାବ ପୁନାୱାଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟରଙ୍କ ଟାଗେର୍ଟରେ ଅଛି। କୌଣସି ମୁହୂର୍ତ୍ତରେ ଏମାନେ ଅଫତାବ ଉପରେ ଗୁଳି କରିପାରନ୍ତି।
ଶ୍ରଦ୍ଧା ୱାଲକରଙ୍କ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମୁମ୍ବାଇରେ ରହୁଥିବା ଶ୍ରଦ୍ଧାଙ୍କୁ ଦିଲ୍ଲୀର ଗୋଟିଏ ଫ୍ଲାଟ ଭିତରେ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଷ୍ଟ କରିବାକୁ ୩୫ ଖଣ୍ଡ କରି କାଟି ଦେଇଥିଲା।
ଅଫତାବ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ପକାଇଥିଲା। ଏହାପରେ ୧୮ ଦିନ ଧରି ସେ ଏହି ଖଣ୍ଡବିଖଣ୍ଡିତ ଅଂଶକୁ ନେଇ ଦିଲ୍ଲୀର ମେହରାଉଲି ଜଙ୍ଗଲରେ ଫିଙ୍ଗଥିଲା।
ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ସେ ଗୋଟିଏ ୩୦୦ ଲିଟିରିଆ ଫ୍ରିଜ୍ରେ ସଂରକ୍ଷିତ କରି ରଖିଥିଲା। ଦୁର୍ଗନ୍ଧ ନ ବାହାରିବା ପାଇଁ ଧୂପକାଠିର ବ୍ୟବହାର ମଧ୍ୟ କରିଥିଲା ଅଫତାବ। ରକ୍ତ ନମୁନା ଯେମିତି ଠାବ ନ ହେବ, ସେଥିପାଇଁ କେମିକାଲ ପ୍ରୟୋଗ ବି କରିଥିଲା। ଶ୍ରଦ୍ଧା ବାପାଙ୍କ ଅଭିଯୋଗ କ୍ରମେ ଅଫତାବକୁ ପୁଲିସ କାବୁ କରିବା ପରେ ନଭେମ୍ବର ୧୪ରେ ଅଫତାବ ନିଜର ଅପରାଧ ସ୍ୱୀକାର କରିଥିଲା। ଏହାପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଫତାବ ଏବେ ତିହାର ଜେଲରେ ବନ୍ଦୀ ଜୀବନ କାଟୁଛି।