ଶ୍ରଦ୍ଧା ୱାକର ହତ୍ୟା ମାମଲା: ୫ ଦିନ ମଧ୍ୟରେ ଅଫତାବର ନାର୍କୋ ଟେଷ୍ଟ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାର ନା‌ର୍କୋଟେଷ୍ଟ୍‌ ୫ ଦିନ ମଧ୍ୟରେ ଶେଷ କରିବାପାଇଁ ଦିଲ୍ଲୀର ସାକେତ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋହିଣୀର ଫରେନ୍ସିକ ସାଇନ୍ସ ଲାବୋରେଟୋରି ୫ ଦିନ ମଧ୍ୟରେ ଅଫତାବର ନାର୍କୋ ଟେଷ୍ଟ୍‌ ଶେଷ କରିବାପାଇଁ ଅଧିକାରୀଙ୍କୁ ଅନୁମତି ଦେବାକୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ବିଜୟଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଥାର୍ଡ ଡିଗ୍ରି ପଦକ୍ଷେପ ଗ୍ରହଣ ନକରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ଏହି ମାମଲାରେ ତଦନ୍ତକୁ ଜୋରଦାର କରିଛି। ଶ୍ରଦ୍ଧା ୱାକର ହତ୍ୟା ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ଟିମ୍‌ ୪ ରାଜ୍ୟ ମହାରାଷ୍ଟ୍ର (ମୁମ୍ବାଇ), ଗୁରୁଗ୍ରାମ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ପହଞ୍ଚିଛନ୍ତି। ପୁନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ କେଉଁମାନଙ୍କ ସହ ଯୋଗାଯୋଗରେ ଥିଲା ତାହା ଜାଣିବାପାଇଁ ତଦନ୍ତକାରୀ ଟିମ୍‌ ତା’ ଫୋନ୍‌କୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଇବେ।

ମାମଲାର ତଦନ୍ତ ପାଇଁ ୪ ରାଜ୍ୟରେ ଦିଲ୍ଲୀ ପୁଲିସ ଟିମ୍‌
ଗୁରୁଗ୍ରାମରେ ଅଫତାବଙ୍କ ଅଫିସ୍‌ରେ ଚଢ଼ଉ କଲା ପୁଲିସ
୨୦୨୦ରେ ଶ୍ରଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲା ଅଫତାବ

ଦିଲ୍ଲୀ ପୁଲିସ ଶୁକ୍ରବାର ଦିନ ଗୁରୁଗ୍ରାମ ସ୍ଥିତ ଅଫତାବ କାର୍ଯ୍ୟ କରୁଥିବା‌ ଅଫିସରେ ପହଞ୍ଚିଛି। ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୁଲିସ ଅଫତାବ କାର୍ଯ୍ୟ କରୁଥିବା ଅଫିସରେ ଚଢ଼ଉ କରିଛି। ଅଫିସ ପରିସରରୁ ପୁଲିସ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଜବତ କରିଛି। କିନ୍ତୁ ଏହି ବ୍ୟାଗ୍‌ରେ କ’ଣ ଅଛି ତାହା ତଦନ୍ତକାରୀ ଟିମ୍‌ ଜଣାଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ରଦ୍ଧା ଏବଂ ଅଫତାବ ମୁମ୍ବାଇରୁ ଦିଲ୍ଲୀକୁ ଯିବାପରେ ଅଫତାବ ଏକ ଘରୋଇ କମ୍ପାନିରେ କାମ କରୁଥିଲା। ଦିଲ୍ଲୀ ପୁଲିସ ମଧ୍ୟ ମହାରାଷ୍ଟ୍ର ପାଲଘର ଅଞ୍ଚଳ ସ୍ଥିତ ବସାଇରେ ପହଞ୍ଚିଛନ୍ତି। ଦିଲ୍ଲୀ ପୁଲିସର ୩ ଜଣିଆ ଟିମ୍‌ ମହାରାଷ୍ଟ୍ରର ମାଣିକପୁର ପୁଲିସ ଅଧିକାରୀଙ୍କୁ ଭେଟି ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି।

ପୁଲିସ ଜେରା ସମୟରେ ଅଫତାବ ନିୟମିତ ଡ୍ରଗ୍ସ ନେଉଥିବା ସ୍ବୀକାର କରିଛି। ଅଫତାବ ଡ୍ରଗ୍ସ ବ୍ୟବହାର କରୁଥିବାରୁ ଶ୍ରଦ୍ଧା ତା’ ସହ ବଚସା କରୁଥିବା ଜଣାପଡ଼ିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ସମୟରେ ମଧ୍ୟ ଅଫତାବ ପ୍ରବଳ ଡ୍ରଗ୍ସ ନେଇଥିଲା। ଇତି ମାମଲାର ତଦନ୍ତ କରୁଥିବା ପୁଲିସ ଆଜି କୋର୍ଟରେ କହିଛନ୍ତି ଯେ, ଅଫତାବ ପୁଲିସକୁ ବିଭ୍ରାନ୍ତି କରିବାକୁ ‌ଚେଷ୍ଟା କରୁଛି। ଉଲ୍ଲେଖଯୋଗ୍ୟ ଯେ ଅଫତାବ ୨୦୨୦ରେ ମଧ୍ୟ ଶ୍ରଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲା। ଶ୍ରଦ୍ଧା ଏଥିପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୪ ଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ।

ସମ୍ବନ୍ଧିତ ଖବର