ଶ୍ରଦ୍ଧା ହତ୍ୟା ମାମଲା: ଲିଭ୍-ଇନ୍ ସଂପର୍କକୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ତାଙ୍କର ପ୍ରେମିକ ତଥା ଲିଭ୍-ଇନ୍ ସଙ୍ଗୀ ଅଫତାବ ନିର୍ମମ ଭାବରେ ହତ୍ୟା କରି ଟିକି ଟିକି କରି କାଟିବା ଘଟଣା ଦେଶସାରା ଆଲୋଡନ ସୃଷ୍ଟି କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ କୌଶଳ କିଶୋର ଶ୍ରଦ୍ଧାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ‘ଶିକ୍ଷିତ’ ଝିଅମାନେ ‘ଅଶିକ୍ଷିତ’ ଝିଅଙ୍କଠାରୁ ଶିଖନ୍ତୁ। କାହା ସହ ରହିବାକୁ ହେଲେ ବାପାମାଆଙ୍କ ଇଚ୍ଛାରେ ରହନ୍ତୁ।

ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ, ଲିଭ୍-ଇନ୍ ସମ୍ପର୍କ ହେଉଛି କେବଳ ବନ୍ଧୁତା ଯେଉଁଥିରେ ପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆମ ଦେଶରେ ଏମିତି ଘଟଣା ବହୁତ ଘଟୁଛି। ଶିକ୍ଷିତ ଝିଅମାନେ ସେଥିରୁ ଶିଖନ୍ତୁ ଏବଂ ଅଶିକ୍ଷିତ ଝିଅମାନଙ୍କ ପାଖରୁ ବି ଶିଖନ୍ତୁ, ଯେଉଁମାନେ ନିଜ ବାପାମାଆଙ୍କ ବିରୋଧରେ ପ୍ରାୟତଃ ଯାଆନ୍ତି ନାହିଁ।

ମନ୍ତ୍ରୀ କିଶୋର କହିଲେ ଯେ ବାପାମାଆଙ୍କୁ ଗୋଇଠା ମାରି ପ୍ରେମିକ ସହ ଲିଭ୍-ଇନ୍‌ରେ ରହିଲେ ଏହିପରି ଘଟେ। ତେଣୁ ଲିଭ୍-ଇନ୍ ବଦଳରେ କୋର୍ଟ ବିବାହ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଯେଉଁ ବାପାମାଆ ଜନ୍ମ କରି ଖାଇବାକୁ ପିନ୍ଧିବାକୁ ଦେଇ ଓ ପାଠ ପଢ଼େଇ ଏତେ ବଡ଼ କରନ୍ତି, ସେମାନଙ୍କୁ ଗୋଟାଏ ମୁହୂର୍ତ୍ତରେ ପର କରିଦେଇ ପ୍ରେମିକ ସହ ଚାଲିଯାଉଥିବା ଝିଅ ନିଶ୍ଚୟ ପରେ ଘଟୁଥିବା ଘଟଣା ପାଇଁ ଦାୟୀ। ମନ୍ତ୍ରୀ କହିଲେ ଯେ, ଲିଭ୍-ଇନ୍‌ରେ ଜଣେ ଝିଅ କାହିଁକି ରହିବ? ଯଦି ରହିବାକୁ ଚାହେ ଏବଂ ବାପାମାଆ ସର୍ବସାଧାରଣରେ ଏପରି ସମ୍ପର୍କ ପାଇଁ ରାଜି ନ ହୁଅନ୍ତି ତେବେ କୋର୍ଟରେ ଏଥିପାଇଁ ରେଜିଷ୍ଟ୍ରେସନ କରାଇନେବା ଆବଶ୍ୟକ।

ସମ୍ବନ୍ଧିତ ଖବର