ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା: ୨୨ରେ ଆମିକସ୍‌ କ୍ୟୁରିଙ୍କ ପୁରୀ ଗସ୍ତ

ବାସ୍ତବ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ, ୨୭ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିଦର୍ଶନ କରି ସେଠାକାର ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦିଅ। ଶ୍ରୀମନ୍ଦିର ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ରଂଜିତ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଆମିକସ୍‌ କ୍ୟୁରି ଚଳିତମାସ ୨୨ ଓ ୨୩ ତାରିଖରେ ପୁରୀ ମନ୍ଦିର ପରିଦର୍ଶନରେ ଯିବେ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରିଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ମାମଲାର ଶୁଣାଣି ବେ‌ଳେ ଆମିକସ୍‌ କ୍ୟୁରି ରଂଜିତ କୁମାର ଖଣ୍ଡପୀଠଙ୍କ ନିକଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ବିଭିନ୍ନ ରିପୋର୍ଟ ଗୁଡ଼ିକ ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ପୁରୀ ଜିଲ୍ଲା ଜଜ୍‌ଙ୍କ ଦ୍ବାରା ଶ୍ରୀମନ୍ଦିର ପରିଚାଳନାକୁ ସୁବ୍ୟବସ୍ଥିତ କରିବାପାଇଁ ଯେଉଁ ସୁପାରିସ କରାଯାଇଛି, ସେଗୁଡ଼ିକୁ ଲାଗୁ କରିବାପାଇଁ ମତ ରଖିଥିଲେ।

ଏଥିସହିତ, ଆମିକସ୍‌ କ୍ୟୁରି ଖଣ୍ଡପୀଠଙ୍କ ନିକଟରେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ବିଭିନ୍ନ କମିଟିମାନଙ୍କ ଦ୍ବାରା ଯେଉଁସବୁ ସୁପାରିସ କରାଯାଇଛି ତାହା ଲାଗୁ କରାଯାଇନାହିଁ। ଅପରପକ୍ଷେ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୁଭାଷିଶ ମିଶ୍ର କହିଥିଲେ ଯେ, ଜିଲ୍ଲା ଜଜ୍‌ଙ୍କ ସୁପାରିସ ଗୁଡ଼ିକ ଲାଗୁ କରିବା ପୂର୍ବରୁ ସେଠାର ବାସ୍ତବ ସ୍ଥିତି ଅବଲୋକନ କରିବାପାଇଁ ଆମିକସ୍‌ କ୍ୟୁରିଙ୍କୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ପଡ଼ିବ। ସେଠାରେ ଆମିକସ୍‌ କ୍ୟୁରି ଧାଡ଼ି ଦର୍ଶନ ଭଳି ବ୍ୟବସ୍ଥା ତଥା ଅନ୍ୟାନ୍ୟ ସୁପାରିସ ଗୁଡ଼ିକ କିଭଳି ଲାଗୁ କରାଯାଇପାରିବ ସେନେଇ ବିଭିନ୍ନ ପାରିପା‌ର୍ଶ୍ବିକ ସ୍ଥିତି ନେଇ ଅବଗତ ହୋଇପାରିବେ। କାରଣ ପୁରୀ ଜଗନ୍ନାଥ ମନ୍ଦିରର ଭିନ୍ନ ଭିନ୍ନ ସ୍ଥିତି ରହିଛି। ସେଠାରେ ସୁପାରିସ ଗୁଡ଼ିକ କ୍ରିୟାନ୍ବୟନ କରିବା କେତେ ସଜହସାଧ୍ୟ ହେବ ଆମିକସ୍‌ କ୍ୟୁରି ସେନେଇ ଅବଗତ ହୋଇପାରିବେ ବୋଲି ଶୁଭାଶିଷ ମିଶ୍ର କହିଥିଲେ। ଆମିକସ୍‌ କ୍ୟୁରି ରଂଜିତ କୁମାର ଚଳିତମାସ ୨୨ ଓ ୨୩ ତାରିଖରେ ପୁରୀ ମନ୍ଦିର ପରିଦର୍ଶନରେ ଯିବା ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

ଏହାପରେ, ଖଣ୍ଡପୀଠ ଆମିକସ୍‌ କ୍ୟୁରି ରଂଜିତ କୁମାର ତଥା ତାଙ୍କୁ ସହଯୋଗ କରୁଥିବା ଓକିଲ ପ୍ରିୟା ହିଙ୍ଗୋରାନୀଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନର ସମସ୍ତ ବ୍ୟବସ୍ଥା କରିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍‌ କ୍ୟୁରି ୨ ଦିନ ମନ୍ଦିର ପରିଦର୍ଶନ କରିବାପରେ ଖୁବ୍‌ଶୀଘ୍ର ତାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରିବେ। ଏତଦ୍‌ବ୍ୟତୀତ ପୁରୀ ଜିଲ୍ଲା ଜଜ୍‌ଙ୍କ ସୁପାରିସ ଗୁଡ଼ିକର କିଭଳି କ୍ରିୟାନ୍ବୟନ କରାଯାଉଛି ତା’ର ମଧ୍ୟ ଏକ ରିପୋର୍ଟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନକୁ ‌ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଗସ୍ତ ସମୟରେ ଆମିକସ୍‌ କ୍ୟୁରି ମାମଲାରେ ଜଡ଼ିତ ଥିବା ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କ ସହ ବିଚାରବିମର୍ଶ କରିବେ। ଖଣ୍ଡପୀଠ ପୁରୀ ଜିଲ୍ଲା ଜଜ୍‌ ଓ ମନ୍ଦିର ପ୍ରଶାସକଙ୍କୁ ମଧ୍ୟ ଆମିକସ୍‌ କ୍ୟୁରିଙ୍କୁ ସହଯୋଗ କରିବାପାଇଁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୭ରେ ହେବ ବୋଲି ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣି ସମୟରେ ଭକ୍ତମାନେ ଶୋଷଣର ଶିକାର ହେଉଥିବା ନେଇ ଆମିକସ୍‌ କ୍ୟୁରି ନିଜ ଉପସ୍ଥାପନରେ କହିବା ସମୟ‌ରେ ଖଣ୍ଡପୀଠ ଏଥି‌ରେ ସହମତି ପ୍ରକାଶ କରିଥିଲେ। ମାମଲା ନେଇ ଦାଖଲ ହୋଇଥିବା ଏକାଧିକ ଇନ୍‌ଟରଭେନ୍‌ସନ୍‌ ଆବେଦନ (ହସ୍ତକ୍ଷେପ ଆବେଦନ) ଗୁଡ଼ିକର ଶୁଣାଣି ପରବର୍ତ୍ତୀ ସମୟ‌ରେ ହେବ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର