ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ତ୍ବରିତ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆମେ ଏହି ମାମଲାର ଶୁଣାଣି କରିପାରିବୁ ନାହିଁ। ଏଥିରେ ଟେକ୍ନିକାଲ ସମସ୍ୟା ରହିଛି। ପ୍ରଧାନ ବିଚାରପତି ମାମଲା ଆବଣ୍ଟନ ନକରିବା ପର୍ଯ୍ୟନ୍ତ ଆମେ ଶୁଣାଣି କରିବା ସମ୍ଭବ ନୁହେଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ଦାଖଲ ଦୁଇଟି ସ୍ବତନ୍ତ୍ର ଲିଭ ପିଟିସନର ତ୍ବରିତ ଶୁଣାଣି ଲାଗି ଗତକାଲି ଖଣ୍ଡପୀଠ ରାଜି ହୋଇଥିଲେ। ଏହାସତ୍ତ୍ବେ ଶୁଣାଣି ପାଇଁ ଆଜି ମାମଲା ତାଲିକାଭୁକ୍ତ କରାଯାଇନଥିଲା। ଏଣୁ ଖଣ୍ଡପୀଠଙ୍କ ନିକଟରେ ପୁଣି ଥରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ମାମଲାର ତ୍ବରିତ ଶୁଣାଣି ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ଗତକାଲି ଖଣ୍ଡପୀଠଙ୍କ ଆଦେଶ ସତ୍ତ୍ବେ ଆଜି ଏହି ମାମଲାର ଶୁଣାଣିକୁ ତାଲିକାଭୁକ୍ତ କରାଯାଇନାହିଁ। ପ୍ରକଳ୍ପରେ ବେଆଇନ ନିର୍ମାଣ ଜାରି ରହିଛି। ଏଣୁ ମାମଲାର ତ୍ବରିତ ଶୁଣାଣି କରାଯିବାର ଆବଶ୍ୟକତା ରହିଛି।
ଏହି ନିବେଦନର ଉତ୍ତରରେ ଖଣ୍ଡପୀଠ ମାମଲା ଶୁଣିବାକୁ ଅଗ୍ରାହ୍ୟ କରିବା ପରେ ଆବେଦନକାରୀଙ୍କ ଓକିଲ ପୁଣି ଥରେ ସମାନ ଅନୁରୋଧ କରିଥିଲେ। ଏଥର ଜବାବରେ ଖଣ୍ଡପୀଠ କହିଥିଲେ ଯେ ଆଜି ଯଦି ପ୍ରଧାନ ବିଚାରପତି ଶୁଣାଣି ପାଇଁ ବେଞ୍ଚକୁ ଅନୁମତି ଦିଅନ୍ତି, ତେବେ ଦିନ ଦୁଇଟା ପରେ ମାମଲାର ଶୁଣାଣି କରାଯିବ। ସେ ଯାଏ ଆମର ହାତବନ୍ଧା ରହିଛି ବୋଲି ଟିପ୍ପଣୀ ଦେଇଥିଲେ। ଆମେ ପ୍ରଧାନ ବିଚାରପତିଙ୍କ ଅଧିକାରରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ। ଖଣ୍ଡପୀଠ ପୁଣି କହିଥିଲେ ଯେ ହାଇକୋର୍ଟରେ ଭ୍ୟାକେସନ ବିଚାରପତି ପ୍ରଶାସନିକ ପକ୍ଷର ବିଚାରପତି ହୋଇଥାନ୍ତି, ହେଲେ ଆମେ ରେଜିଷ୍ଟ୍ରି ଦ୍ବାରା ନିୟନ୍ତ୍ରିତ ହୋଇଥାଉ। କୋର୍ଟ ରେଜିଷ୍ଟ୍ରିଙ୍କୁ ଅନୁସରଣ କରିବା ପାଇଁ ଆବେଦନକାରୀଙ୍କ ଓକିଲଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲାକୁ ଦିନ ଦୁଇଟା ପରର ଶୁଣାଣିରେ ମଧ୍ୟ ତାଲିକାଭୁକ୍ତ କରାଯାଇନଥିଲା।
ଓଡ଼ିଶା ହାଇକୋର୍ଟଙ୍କ ଗତ ମେ' ୯ ତାରିଖ ଆଦେଶକୁ ବିରୋଧ କରି ଦାଖଲ କରାଯାଇଥିବା ଦୁଇଟି ଅଲଗା ଅଲଗା ଏସ୍ଏଲ୍ପିର ଶୁଣାଣି କେବେ ହେବ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ ହୋଇପାରିନାହିଁ। ଗତକାଲି ଖଣ୍ଡପୀଠ ଆମିକସ୍ କ୍ୟୁରି ଓ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଆବେଦନର ନକଲ ପ୍ରଦାନ କରିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣି ପାଇଁ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ସମେତ ସମସ୍ତ ପକ୍ଷର ଆଇନଜୀବୀ କୋର୍ଟରେ ଉପସ୍ଥିତ ଥିଲେ। ଆବେଦନକାରୀମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଅଭିଯୋଗ ଆଣି ଏହି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ତ୍ବରିତ ଶୁଣାଣି ଲାଗି ପ୍ରାର୍ଥନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/supreme-court-a.jpg)