ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଲୋକମାନେ ନିଜନିଜ ଶୈଳୀରେ ଭକ୍ତିଭାବ ପ୍ରକଟ କରୁଛନ୍ତି। ଏହି କ୍ରମରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବତୀ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି। ଏହି ଯୁବତୀଙ୍କ ନାମ ସବନମ ରହିଛି।
ସବନମ ହିଜାବ ପିନ୍ଧି ହାତରେ ରାମଙ୍କ ପତକା ଧରି ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି। ତାଙ୍କର ଏହି ଯାତ୍ରାକୁ ୨୮ଦିନ ପୂରି ଥିବା ବେଳେ ଅଯୋଧ୍ୟା ପହଞ୍ଚିବାକୁ ଆହୁରି ଅନେକବାଟ ବାକି ଅଛି। ଏହି ଯାତ୍ରା ଭିତରେ ସବନମଙ୍କ ପାଦ ଫଟକା ହୋଇଗଲାଣି, ପ୍ରବଳ ଥଣ୍ଡା ହେତୁ ତାଙ୍କୁ ଥଣ୍ଡା ବି ଧରି ନେଇଛି। ଏହା ସତ୍ତ୍ବେ ବି ସେ ତାଙ୍କ ଯାତ୍ରାକୁ ଅଟକାଇ ନାହାନ୍ତି।
ସବନମ ତାଙ୍କ ଯାତ୍ରାକୁ ନେଇ କହିଛନ୍ତି, ‘ମୁଁ ରାମ ଆଏଙ୍ଗେ.....ଗୀତ ଶୁଣିଶୁଣି ରାମଙ୍କ ନାମ ନେଇ ଯାତ୍ରା କରୁଛି। ଯାହାକି ମୋତେ ଶକ୍ତି ଦଉଛି। ଏଯାବତ ମୁଁ ଉତ୍ତରପ୍ରଦେଶର ମହୋବାରେ ପହଞ୍ଚିଛି। ଆଗକୁ ଆହୁରି ଅନେକ ବାଟ ଯାତ୍ରା କରିବାର ଅଛି। କାରଣ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପାଖେଇ ପାଖେଇ ଆସୁଛି। ଏହା ପୂର୍ବରୁ ମୋତେ ଅଯୋଧ୍ୟାରେ ପହଞ୍ଚିବାର ଅଛି। ଚାଲିଚାଲି ପାଦ ଫଟକା ହୋଇଗଲାଣି ଯନ୍ତ୍ରଣା ବି ଅସହ୍ୟ ହେଉଛି। କିନ୍ତୁ ରାମଲଲ୍ଲାଙ୍କ ପାଇଁ ମୁଁ ସବୁ ଯନ୍ତ୍ରଣାକୁ ଭୁଲି ଯାଇଛି। ’
ସବନମ ୧୩୫୦କିମି ଯାତ୍ରା କରି ସାରିଥିବା ବେଳେ ତାଙ୍କୁ ସ୍ଥାନେସ୍ଥାନେ ହିନ୍ଦୁ ସଙ୍ଗଠନମାନେ ସ୍ବାଗତ କରୁଛନ୍ତି। ସବନମ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ସୁଦ୍ଧା ସେ ପିଲାଟି ଦିନରୁ ଭଗବାନ ରାମଙ୍କ ପ୍ରତି ଭକ୍ତି ରଖି ଆସିଛନ୍ତି।